୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବାସନ୍ତିକ ପୂଜାର ଦଶମୀ ତିଥିରେ ବୋଲଗଡ଼ ଗଡ଼ର ଆରାଧ୍ୟl ଦେବୀ ମା ” ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ନବମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ମହାଯଜ୍ଞ କାର୍ଯ୍ୟକ୍ରମ ଆଜି ପୂର୍ଣ୍ଣାହୁତି ହୋଇଯାଇଛି। ମା’ରାମଚଣ୍ଡୀଙ୍କର ବାର୍ଷିକୋତ୍ସବ ପ୍ରତିବର୍ଷ ଆୟୋଜିତ ହୋଇଥାଏ। ଏଥିନେଇ ଅଶୋକାଷ୍ଟମୀ ଦିନ ମାଙ୍କ ଗଡଭିତର ସାହି ମନ୍ଦିର ପରିସରରେ ନବପତ୍ରିକା ହୋମଯଜ୍ଞ କାର୍ଯ୍ୟ ହୋଇଥିଲା।ଏହି ଦିନ ଠାରୁ ଯଥା ରୀତିନୀତି ଅନୁସାରେ ଏଠାରେ ମା’ଙ୍କର ବାର୍ଷିକୋତ୍ସବ ପାଇଁ ମହାଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଚୈତ୍ର ଶୁକ୍ଳପକ୍ଷ ବାସନ୍ତିକ ଦଶମୀ ତିଥିରେ ମହାଯଜ୍ଞର ପୂର୍ଣ୍ଣାହୁତି ପାଇଁ ପୂର୍ବାହ୍ନରେ ଶ୍ରଦ୍ଧାଭକ୍ତମାନେ କଳସ ଯାତ୍ରାରେ ନିକଟସ୍ଥ ଗଡସାଗରରୁ ପୂଜାର୍ଚ୍ଚନା ପରେ ପବିତ୍ରଜଳ ଆଣି ମନ୍ଦିର ବେଢ଼ା ଯଜ୍ଞସ୍ଥଳରେ ସ୍ଥାପନ କରିଥିଲେ।ମା ରାମଚଣ୍ଡୀ ସ୍ଥାନୀୟ ଅଂଚଳର ଗ୍ରାମଦେବତୀ ରୂପେ ପ୍ରସିଦ୍ଧ ଥିବାରୁ ମାନସିକ ଧାରଣ କରିଥିବା ପ୍ରାୟ ୩୦୦ରୁ ଉର୍ଦ୍ଧ ମହିଳା କଳସ ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ପରେ ସକାଳ ୧୦ଟାରେ ଅଗ୍ନି ସ୍ଥାପନ କରାଯାଇ ମହାଯଜ୍ଞ ଆରମ୍ଭ ହୋଇଥିଲା ବେଳେ ମୁଖ୍ୟକର୍ତ୍ତା ଭାବେ ରଘୁନାଥ ଦଳବେହେରା ଓ ତାଙ୍କର ଧର୍ମପତ୍ନୀ କବିତା ଦଳବେହେରା ଘୃତଦାନ କାର୍ଯ୍ୟ ସମ୍ପାଦିତ କରିଥିଲେ !















