No Result
View All Result
୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ମାର୍ଚ୍ଚ ୨୯ ତାରିଖରେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଣ୍ଡର ପାସ ନିକଟରେ ମାଂସ ଦୋକାନୀକୁ ଚା’ ରେ ନିଶା ଔଷଧ ଦେଇ ଲୁଟ କରିଥିବା ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ , କଟକ ସଦର ଥାନା ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ କଟକ ମଧୁପାଟଣା ଥାନା ଅଧିନସ୍ଥ , ସୁଭଦ୍ରା ନଗରରେ ରହୁଥିବା ବୈଦେଶ୍ୱର ଥାନା ଅଞ୍ଚଳର ଅଜୟ କୁମାର ବେହେରା (୩୮) ଓ କାଜିଡିହରେ ରହୁଥିବା ଏରସମା ଥାନା ଅଞ୍ଚଳର ବିକ୍ରମ ବିଶ୍ଵାଳ (୩୮)। ସେମାନଙ୍କ ପାକରୁ ପୋଲିସ ତିନୋଟି ମୋବାଇଲ ଫୋନ, ନଗଦ ୫ହଜାର ଟଙ୍କା ଏବଂ କିଛି ନିଶା ଔଷଧ ଜବତ ହୋଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଏହି ଗୋପାଳପୁର ଅଣ୍ଡର ପାସ ନିକଟରେ ମାଂସ ଦୋକାନ କରିଥୂବା ନିଆଳି ଥାନା ଅଢଙ୍ଗ ଗ୍ରାମର ମେହେରବାନ ସା , ଦୀର୍ଘଦିନ ଧରି ମାଂସ ଦୋକାନ କରି ଆସୁଛନ୍ତି। ଗତ ମାର୍ଚ୍ଚ ୨୯ ତାରିଖ ଦିନ ସକାଳେ ମେହେରବାନଙ୍କ ମାଂସ ଦୋକାନକୁ ଅଜୟ ଓ ବିକ୍ରମ ଏକ ବାଇକ୍ ଯୋଗେ ଆସିଥିଲେ । ମେହେରବାନ ଓ ଦୋକାନକୁ ଆସିଥିବା ଗ୍ରାହକ ସନ୍ତୋଷ କୁମାର ନାୟକଙ୍କୁ ଉଭୟ ଅଜୟ ଓ ବିକ୍ରମ ନିଶା ଔଷଧ ମିଶ୍ରିତ ଚା’ ପିଇବା ପାଇଁ ଦେଇଥିଲେ। ଗ୍ରାହକ ସନ୍ତୋଷ ଓ ମେହେରବାନ ଚା’ ପିଇବା ପରେ ସେଠାରେ ସଂଜ୍ଞାହୀନ ହୋଇ ପଡ଼ି ରହିଥିଲେ। ଏହାର ସୁଯୋଗ ନେଇ ଅଜୟ ଓ ବିକ୍ରମ ମେହେରବାନଙ୍କ ମୋବାଇଲ ଓ ଦୋକାନ କ୍ୟାସ୍ କାଉଣ୍ଟର ରୁ ୩୦ ହଜାର ଟଙ୍କା ନେଇ ଚାଲି ଯାଇଥିଲେ।
ଖବର ପାଇ ଲୁଟ଼ ହେବା ଘଟଣାର କିଛି ସମୟ ପରେ ମେହେରବାନଙ୍କ ଭଣଜା ଏସ୍. କେ ଆଶିକ ପହଂଚି ମେହେରବାନ ଙ୍କୁ ଚିକିତ୍ସିତ କରିବା ପାଇଁ କଟକ ମେଡିକାଲକୁ ପଠାଇଥିଲେ। ଏସ୍ କେ ଆଶିକ କଟକ ସଦର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ନଂ୧୭୦/୨୪ ରୁଜୁ କରିଥିଲା। ଅଜୟଙ୍କ ନାମରେ କ୍ୟାଣ୍ଟନମେଣ୍ଟ ଥାନାରେ ପୂର୍ବରୁ ଦୁଇଟି ଅପରାଧିକ ମାମଲା ଥିବା ବେଳେ ବିକ୍ରମ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୨୩ ଟି ଅପରାଧିକ ମାମଲା ଥିବା ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଥିଲେ ।
No Result
View All Result