ପୋଡ଼ାସାହି ଗାଁ ଛାଡୁନାହାଁନ୍ତି ହାତୀପଲ, ନିତିଦିନିଆ ଘଟଣା କହି ଯାଉନି ବନ ବିଭାଗ

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡ଼ଗାଁ :-> ଓଡ଼ଗାଁ ଓ ପଂଚିରିଡ଼ା ବନାଂଚଳର ସୀମାନ୍ତରେ ହାତୀପଲଙ୍କୁ ଦେଖି ଲୋକେ ଛାନିଆ ହୋଇ ପଡ଼ିଛନ୍ତି। କିଛିଦିନ ତଳେ ପିଲାଚୋରକୁ ନେଇ ଗାଁରେ ପାଳିଜଗା ଚାଲିଥିବା ବେଳେ ଏବେ ହାତୀପଲକୁ ନେଇ ଗାଁରେ ଅସନ୍ତୋଷ ଦେଖାଦେଇଛି। ଏହା ନିତିଦିନିଆ କହି ବନ ବିଭାଗ ଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଂଚାୟତ ପୋଡ଼ାସାହି ଗାଁ ହାତୀପଲ ଛାଡୁନଥିବା ଗ୍ରାମବାସୀ କହିଛନ୍ତି। ସୂଚନା ଅନୁସାରେ, ଆଦିବାସୀ ଅଧ୍ୟୁଷିତ ଅଂଚଳ ଭୋବସର, ନିହଲପ୍ରସାଦ, ଚେମେଡ଼ି, ପୋଡ଼ାସାହି, ମାଳ ଓସ୍ତିଆ ଆଦି ଗାଁ ରହିଛି।

ସନ୍ଧ୍ୟା ହେଲେ ହାତୀପଲ ଗାଁ ଭିତରକୁ ପଶି ଆସି ଲୋକଙ୍କ ପଣଷ, କଦଳି ଓ ଖରାଦିନିଆ ଧାନ ଫସଲ ନଷ୍ଟ କରିବା ସହ ପନିପରିବା ଚାଷ ଉଜାଡ଼ି ଦେଉଛନ୍ତି। ଲଗାତର ୧୫ଦିନ ହେବ ଏହି ଅଂଚଳ ହାତୀପଲ ଛାଡୁନଥିବା କହିଛନ୍ତି ଗ୍ରାମବାସୀ। ସନ୍ଧ୍ୟା ହେଲେ ହାତୀ ଭୟରେ ଗ୍ରାମବାସୀ ଗାଁରୁ ବାହାରକୁ ବାହାରି ପାରୁନାହାଁନ୍ତି। କାଳେ କିଛି ଅଘଟଣ ଘଟିବ କିମ୍ବା ହାତୀପଲ ଘରଦ୍ବାର ଭାଙ୍ଗିବେ ସେହି ଭୟରେ ଗାଁରେ ପାଳି ଜଗା ଆରମ୍ଭ ହୋଇଛି। ପୋଡ଼ାସାହି ଗ୍ରାମବାସୀ ବନ ବିଭାଗକୁ ଖବର ଦେଲେ ମଧ୍ୟ କେହି ଯାଉନଥିବା ଗ୍ରାମବାସୀ କହିଛନ୍ତି।

ଏହି ଅଂଚଳ ଓଡ଼ଗାଁ ବନାଂଚଳର ସୀମାନ୍ତରେ ଥିବା ବେଳେ ଆଗ କିଛି ଗାଁ ପଂଚିରିଡ଼ା ସୀମାନ୍ତରେ ଥିବାରୁ ସମସ୍ୟା ଦେକାଦେଇଛି। ଉଭୟ ବନ କର୍ମଚାରୀ ଉଭୟଙ୍କ ଉପରେ ଦୋଷ ଦେଇ ଘଟଣା ସ୍ଥଳକୁ ଯାଉନାହାନ୍ତି। ଯଦି କିଛି ବି ଅଘଟଣ ଘଟେ ସେଥିପାଇଁ ବନ ବିଭାଗ ଦାୟୀ ରହିବ ବୋଲି ଅଂଚଳବାସୀ ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି। ଏହି ଘଟଣାରେ ଓଡ଼ଗାଁ ବନାଂଚଳ ଅଧିକାରୀ ନିଖିଳେଶ ମଲ୍ଲିକ ଆଜି କର୍ମଚାରୀମାନଙ୍କୁ ପଠାଯିବ ବୋଲି କହିଛନ୍ତି।