ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଚଳିତ ବର୍ଷ ନିର୍ବାଚନ ସହ ରଥଯାତ୍ରା ର ଆୟୋଜନ ନିଶ୍ଚିତ ଭାବେ ଆହ୍ଵାନ।ତେବେ ସମ୍ମିଳିତ ଉଦ୍ୟମ ଓ ପାରସ୍ପରିକ ସହଯୋଗ ଦ୍ବାରା ଏହାକୁ ଆମେ ସଫଳ କରିବା।ତେଣୁ ପ୍ରତ୍ୟେକ ବିଭାଗ ସେମାନଙ୍କ ବିଭାଗୀୟ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରାମର୍ଶ ଦେଇଛନ୍ତି।ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳଶ୍ରୀ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ଏସ ପି ପିନାକ ମିଶ୍ର ପ୍ରତ୍ୟେକ ବିଭାଗ ତତ୍ପରତାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏସ ପି ପିନାକ ମିଶ୍ର ରଥଯାତ୍ରା ପାଇଁ ଆଇନଶୃଙ୍ଖଳା ରକ୍ଷା ର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ଯାତ୍ରୀ ମାନଙ୍କ ସୁବିଧା ପାଇଁ ପରିବହନ ବ୍ୟବସ୍ଥା କୁ ସୁଦୃଢ କରିବା, ଗାଡ଼ି ଗୁଡିକ ପରିବହନ କୁ ସୁ ନିୟନ୍ତ୍ରିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।ରଥକାଠ ସଂଗ୍ରହ,ରଥ ନିର୍ମାଣ ସମ୍ପର୍କରେ ସୃଷ୍ଟି ଦେଇ ଶ୍ରୀ ମନ୍ଦିର ନିତୀ ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଚଳିତ ବର୍ଷ ମଇ ୧୦ ତାରିଖ ଅକ୍ଷୟ ତୃତୀୟାରେ ରଥ ଅନୁକୂଳ, ଜୁନ ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୭ ତାରିଖରେ ଶ୍ରୀ ଗୁଣ୍ଡିଚା,ଜୁଲାଇ ୧୨ ତାରିଖରେ ଦକ୍ଷିଣ ମୋଡ,ଜୁଲାଇ ୧୪ ତାରିଖରେ ସଂଧ୍ୟା ଦର୍ଶନ,ଜୁଲାଇ ୧୫ ତାରିଖରେ ବାହୁଡା ଯାତ୍ରା, ଜୁଲାଇ ୧୭ ତାରିଖରେ ସୁନା ବେଶ ଓ ୧୮ ତାରିଖରେ ଅଧରପଣା ନିତୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ।

ସେହିପରି ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ଥିବା ବେଳେ ପୂର୍ବ ବର୍ଷର ୫୩ ଖଣ୍ଡ କାଠ ବଳକା ଥିବାରୁ ଚଳିତ ବର୍ଷ ଆଉ ୮୧୨ ଖଣ୍ଡ କାଠର ଆବଶ୍ୟକତା ଥିବା ଜଣାଇବା ସହ ଜଙ୍ଗଲ ବିଭାଗ ନିର୍ଦ୍ଧାରିତ ସମୟରେ ଏହା ପ୍ରଦାନ କରିବେ, ରଥ ପାଇଁ ବିଭିନ୍ନ ରଙ୍ଗର ୧୫୪୨ ମିଟର ରଥ କପଡା, ଲାଗି ଲୁଗା,ଝୁଣା, ଚନ୍ଦନ କାଠ,ରଥ ଦଉଡା ଇତ୍ୟାଦି ର ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ,ପାର୍କିଂ ସ୍ଥଳ,ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ,

ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅସୁରକ୍ଷିତ ବିଲ୍ଡିଂ ର ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ, ଅଗ୍ନି ନିର୍ବାପକ ବ୍ୟବସ୍ଥା ର ସମୀକ୍ଷା ଇତ୍ୟାଦି କୁ ଯୁଗ୍ମ ତଦନ୍ତ ମାଧ୍ୟମରେ ତ୍ୱରାନ୍ୱିତ ପାଇଁ ସେ ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ସମସ୍ତଙ୍କୁ ସ୍ୱାଗତ,କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରାଙ୍କ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର,ପୌରନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା , ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ସୁଜାତା ମିଶ୍ର,ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।