ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପରିଚାଳନା ସବ କମିଟି ର ପ୍ରସ୍ତୁତି ବୈଠକ : ତିନି ଦିନିଆ ମେଳା ପାଇଁ ଆଲୋଚନା

୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ର ପବିତ୍ର ତୀର୍ଥକ୍ଷେତ୍ର ହରିଶଙ୍କର ମନ୍ଦିର ଝରଣା କୂଳରେ ଆଗାମୀ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିଚାଳନା ସବ କମିଟି ସଭାପତି ବିପ୍ର ବିଶି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକେ ସବ କମିଟି ସଦସ୍ୟ, ସେବାୟତ ମାନେ ଯୋଗ ଦେଇଥିଲେ। ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ସମୟ ରେ ହଜାର ହଜାର ବର୍ଷ ତଳୁ ବୈଶାଖ ମେଳା ଆୟୋଜିତ ହୋଇ ଆସିଥିବା ବେଳେ ଗନ୍ଧମାର୍ଦ୍ଦନ ପାହାଡ ର ଉଭୟ ପାର୍ଶ୍ଵ ନରସିଂହ ନାଥ ଓ ହରିଶଙ୍କର ପୀଠ ଉତ୍ସବ ମୁଖର ହୋଇ ଉଠିଥାଏ । ଓଡ଼ିଶା ସମେତ ପଡୋଶୀ ରାଜ୍ୟ ରୁ ମଧ୍ୟ ଶ୍ରଦ୍ଧାଳୁ ମାନେ ଏହି ସମୟରେ ମେଲାକୁ ଦେଖିବାକୁ ଆସିଥାନ୍ତି । ହେଲେ ଆଗାମୀ ମେଳା ସମୟ ରେ ସାଧାରଣ ନିର୍ବାଚନ ଥିବାରୁ ମେଳା କିପରି ଶାନ୍ତି ଶୃଙ୍ଖଳା ସହିତ ହୋଇପାରିବ, ପରମ୍ପରା ଓ ସଂସ୍କୃତି କିଭଳି ବଞ୍ଚି ରହିବ ସେନେଇ ଆଲୋଚନା ହୋଇଥିଲା। ଚତୁର୍ଦ୍ଦଶୀ ଦିନ ରାତିରେ ସ୍ଵତନ୍ତ୍ର ପୀଠ କନ୍ଦ (ପିଠ କନ୍ଦା) ଭୋଗ ଲାଗି ହୋଇଥାଏ ଏବଂ ଏହି ଭୋଗ ପାଇବାକୁ ଶ୍ରଦ୍ଧାଳୁ ମାନେ ଅପେକ୍ଷା କରିଥାନ୍ତି। ଅନ୍ୟ ବର୍ଷ ମେଳା ତିନି ଦିନ ହେଉଥିବା ବେଳେ ଦେବୋତ୍ତର କଲୋନୀ ଓ ପ୍ରଶାସନ ର ଉଦ୍ୟମରେ ୫ ଦିନ ଆୟୋଜିତ ହୋଇଥିଲା।

ପାଞ୍ଚଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଜ୍ଞାପନ ମେଢ଼ ଆଦି ପ୍ରଦର୍ଶିତ ହୋଇଥିଲା। ହେଲେ ନିର୍ବାଚନ ପାଇଁ ଚଳିତ ବର୍ଷ ଏହା ୩ ଦିନିଆ କରିବା ସହିତ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କିଭଳି ଆୟୋଜିତ ହୋଇପାରିବ, ବିଭିନ୍ନ ଜାତି , ଗୋଷ୍ଠୀ ଓ ସଙ୍ଗଠନ ମାଗଣା ଅନ୍ନ ଭୋଗ ବଣ୍ଟନ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରୁଥିବାରୁ ପ୍ରଶାସନ ତୁରନ୍ତ ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ଦେବୋତ୍ତର କମିଟି, ପରିଚାଳନା ସବ କମିଟି, ସେବାୟତ, ବିଭିନ୍ନ ଜାତି, ଗୋଷ୍ଠୀ, ସ୍ଥାନୀୟ ଦୋକାନୀ, ହରିଶଙ୍କର ପ୍ରେମୀ, ସମସ୍ତ ସରକାରୀ ବିଭାଗ କୁ ନେଇ ପ୍ରସ୍ତୁତି ବୈଠକ କରିବାକୁ ପାଟଣାଗଡ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଜଣାଇବାକୁ ଆଲୋଚନା ହୋଇଥିଲା। ବୈଠକରେ ହରିଶଙ୍କର ମନ୍ଦିର ପୂଜକ ନରସିଂହ ପୁଝାରୀ, ସବ କମିଟି ସଦସ୍ୟ ରୋହିତ ମେହେର, ଅଭୟ ତ୍ରିପାଠୀ, ଶଶି ପୁଝାରୀ, ସୁଶିଲ କୁମାର ଗୁରୁ, ସରୋଜ ପାଣିଗ୍ରାହୀ, ଟିକେଶ୍ୱର୍ ଧରୁଆ, ଶତୃଘ୍ନ ନାଏକ, ସଢାନନ ଭୋଇ, ପ୍ରହଲ୍ଲାଦ ଚାନ୍ଦ, କ୍ଷମା ନିଧି ଭୋଇ, ଚକ୍ର ଦାସ, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଆଗାମୀ ବୈଶାଖ ଚତୁର୍ଦ୍ଦଶୀ ମେ ମାସ ୨୨ ତାରିଖ ରେ ହେବ।