ଓଡିଶା ତାଜା ନ୍ୟୁଜ୍ (୦୧ ଅଗଷ୍ଟ ଶନିବାର) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ସକାଶେ ଅହରହ ଉଦ୍ୟମ ଚଲାଇଥିବା କରୋନା ଯୋଦ୍ଧା ତଥା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ମନୋରଞ୍ଜନ ସାହୁ ଜୁଲାଇ ମାସରେ ସଂକ୍ରମିତ ହୋଇଥିଲେ । ଚିକିତ୍ସା ସକାଶେ ଭୂବନେଶ୍ୱର କିମ୍ସ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିବା ପରେ ୧୪ ଦିନ ସକାଶେ ହୋମ କ୍ୱରେଂଟାଇନରେ ରହିଥିଲେ । ଶୁକ୍ରବାର ହୋମ କ୍ୱରେଂଟାଇନ ଅବଧି ପୁରଣ ହେବା ପରେ କାର୍ଯ୍ୟରେ ଯୋଗଦେବା ସକାଶେ ଇଛା ପ୍ରକାଶ କରିଥିଲେ ।
ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ଆଲୋଚନା ସମୟରେ ନିର୍ବାହୀ ଅଧିକାରୀ ଡ଼. ସାହୁ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ଖବର ପାଇ ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଯାଇ ଡ଼. ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ସକାଶେ ଭୂବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବା ବିଡ଼ିଓ ପାତ୍ରଙ୍କ ସୁତ୍ରରୁ ପ୍ରକାଶ । ତେବେ ଶନିବାର ଖବର ଲେଖା ହେବା ସୁଦ୍ଧା ତାଙ୍କରି ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ( ରିପୋର୍ଟ-ଶେଷଦେବ ସାହୁ )