୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ହେଉଛି ଓଡିଆ ନବବର୍ଷ ମହା ବିଷୁବ ପଣା ସଂକ୍ରାନ୍ତି । ଏହି ଅବସରରେ କଟକର ବିଭିନ୍ନ ସ୍ଥାନରେ ଓଡ଼ିଆ ନବ ବର୍ଷ ପାଳନ ସାଙ୍ଗକୁ ପଥ ଚାରୀ ମାନଙ୍କୁ ଦହିପଣା, ଥଣ୍ଡା ପାନୀୟ ଜଳ ବିତରଣ କରାଯାଇଥିଲା । ପ୍ରେସ କ୍ଲବ କଟକର ସଦସ୍ୟ ମାନଙ୍କ ପକ୍ଷରୁ କଟକ କାଳିଆବୋଦା କାଳୀମନ୍ଦିର ନିକଟରେ ପଥଚାରୀ ଏବଂ ଜନ ସାଧାରଣଙ୍କୁ ଦହିପଣା ବିତରଣ କରାଯାଇଥିଲା ।
ପ୍ରେସ କ୍ଲବ କଟକର ସଂପାଦକ ନିରଞ୍ଜନ ପଟ୍ଟନାୟକ ଫିତାକାଟି ଜଳଛତ୍ର କାର୍ଯ୍ୟକୁ ଉଦଘାଟନ କରିଥିଲେ । ସେହିପରି ଫୁଲନଖରା ଛକଠାରେ ସକାଳ ଚା ଖଟି କଟକ- ଭୁବନେଶ୍ୱର ପକ୍ଷରୁ ପଣା ସଂକ୍ରାନ୍ତି ଉପଲକ୍ଷେ ସର୍ବ ସାଧାରଣଙ୍କ ପାଇଁ ପଣା ବିତରଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚା ଖଟିର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ବ୍ୟୟଜ୍ୟେଷ୍ଠ ଏବଂ ନୂତନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆୟୋଜିତ କାର୍ଯ୍ୟକ୍ରମରେ ଚା ଖଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପଥ ଚାରି ମାନଙ୍କୁ ପଣା ପିଇବାକୁ ଦେଇଥିଲେ । ଲକ୍ଷେଶ୍ୱର ମନ୍ଦିର ସମ୍ମୁଖ ଜାତୀୟ ରାଜପଥ କଡ଼ରେ ଓମଫେଡ଼ କଲୋନୀର ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଯୁବକ ମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଦହିପଣା ପ୍ରଦାନ କରିଥିଲେ । କଟକ ସଦର ଥାନା ନିକଟସ୍ଥ ପିରବଜାର ଠାରେ ଥିବା ହନୁମାନ ମନ୍ଦିରରେ ପଣା ସଂକ୍ରାନ୍ତି ଉପଲକ୍ଷେ ଶ୍ରଦ୍ଧାଳୁ ମାନେ ମହାବୀର ହନୁମାନଙ୍କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରିଥିଲେ ।
ଏଠାରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପଣାର ବ୍ୟବସ୍ଥା କରାଯାଇଥିଲା । ହନୁମାନଙ୍କ ନିକଟରେ ମାନସିକ ରଖିଥିବା ଶ୍ରଦ୍ଧାଳୁମାନେ ଛେନା, ଦହି,ଖିର,କଦଳୀ,ନଡ଼ିଆ ଆଦି ଆଣି ହନୁମାନଙ୍କ ପାଖରେ ପହଞ୍ଚାଇଥିଲେ । ଏହିସବୁ ଦ୍ରବ୍ୟରେ ପଣା କରାଯାଇ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ପଣା ବିତରଣ କରାଯାଇଥିଲା । ଆୟୋଜକ ଜଗନ୍ନାଥ ବେହେରା ଏବଂ ତାଙ୍କର ସହଯୋଗୀ ମାନେ ଏହି କାର୍ଯ୍ୟ ପରିଚାଳନା କରିଥିଲେ ।