ଶରଣକୁଳ ଅଞ୍ଚଳରେ ଝାମୁ ଯାତ୍ରା ଓ ମହା ବିଷୁବ ସଂକ୍ରାନ୍ତି ପାଳିତ

୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡଗାଁ :-> ଶରଣକୁଳ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମରେ କାମନା ଘର ସାମନାରେ ଦଣ୍ଡୁଆମାନେ ଆସ୍ଥା ଓ ବିଶ୍ଵାସର ଯାତ୍ରା ଝାମୁ ଯାତ୍ରାର ଅଂଶ ସ୍ବରୂପ ନିଆଁରେ ଚାଲି ନିଜ ନିଷ୍ଠା ଓ ଭକ୍ତିର ପରାକାଷ୍ଟା ପ୍ରଦର୍ଶନ କରିଥିଲେ । ଅସୁରଢିପା, ଶିଖରପୁର, ହରିହରପୁର, ଚଡ଼ୟାପଲ୍ଲୀ, ପଞ୍ଚିରିଡ଼ା ମାନପୁର, ନରେନ୍ଦ୍ରପୁର, କଟରାଝରୀ ଆଦି ଗ୍ରାମରେ ଗତକାଲି ମେରୁ ପର୍ବ ପାଳନ ସହିତ ରାତ୍ରୀରେ ଦଣ୍ଡ ଛପି ଯାଇଥିଲେ । ଦଣ୍ଡ ଯାତ୍ରାରେ ଦଣ୍ଡୁଆଭାବେ ଯୋଗ ଦେଇଥିବା ଭକ୍ତମାନେ ଆଜି ମହାବିଷୁବ ସଂକ୍ରାନ୍ତିରେ କାମନା ଘର ସାମନାରେ ପ୍ରସ୍ତୁତ କରାଯାଇଥିବା ନିଆଁଗାଡ଼ରେ ଶାଳୁଆ କାଠର ଜଳନ୍ତା ନିଆଁ ଉପରେ ଚାଲି ଭକ୍ତିର ଶକ୍ତି ଦେଖାଇଥିଲେ ।

ଅସୁରଢ଼ିପା ଗ୍ରାମରେ ମହାପ୍ରଭୁ ବାନାମ୍ବରଙ୍କର ଗତକାଲି ରାତିରେ ହାନ୍ଦୋଳାଯାତ୍ରା ସମ୍ପୂର୍ଣ୍ଣ ଭକ୍ତିଭାବ ସହ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଥିଲା । ଆଜି ସକାଳେ ଗ୍ରାମର ପୁରୁଣା ଦଣ୍ଡୁଆ ତଥା ସହଯୋଗୀ ଭକ୍ତମାନେ କାମନା ଘର ସାମ୍ନାରେ ଏକ ୨୭ ହାତ ଲମ୍ବା ଓ ଦେଢ଼ ହାତ ଓସାର ଓ ଦୁଇଫୁଟ ଗଭୀରର ଗାଡ଼ ଖୋଳିଥିଲେ । ବ୍ରାହ୍ମଣ ହୋମ ଜରିଆରେ ସେହି ଗାଡ଼ରେ ରଖାଯାଇଥିବା ଶାଳ କାଠରେ ଅଗ୍ନି ସଂଯୋଗ କରାଇଥିଲେ ।

ଅନ୍ୟମାନେ ବାଉଁଶ ପାତିରେ ନିମିର୍ତ କୁଲାରେ ବିଞ୍ଚି ସେହି ନିଆଁକୁ ପ୍ରଖର କରି ଗାଡ଼କୁ କେବଳ ଜଳନ୍ତା ଅଙ୍ଗାରରେ ପୂର୍ଣ୍ଣ କରିଥିଲେ । ଇତବସରରେ ଦଣ୍ଡୁଆ ଭକ୍ତ ମାନେ ଦଳଯାତ୍ରାରେ ନିକଟସ୍ଥ ପୁଷ୍କରିଣୀକୁ ଯାତ୍ରା କରିଥିଲେ । ସେଠାରୁ ଦଳ ମୁଣ୍ଡାଇ ଝାମୁ ସ୍ଥଳକୁ ଢେ଼ାଲ ମହୁରୀ ଖୋଳ ତାଳ ଛତି ତ୍ରାଶ ବାନା ବୈରଖ ସହ ସମ୍ପୂର୍ଣ୍ଣ ଓଦା ହୋଇ ଆସି ପହଞ୍ଚିଥିଲେ । ଝାମୁ ଗାଡ଼ର ଦୁଇ ମୁଣ୍ଡରେ ମାଟି ଖୋଳି ଦୁଇ ଫୁଟ ଲମ୍ବା ଦୁଇଫୁଟ ଓସାର ଓ ଦୁଇଫୁଟ ଗଭୀରର ଦୁଇଟି କୁଣ୍ଡ ନିମାର୍ଣ କରାଯାଇଥିଲା ।

ସେହି ଦୁଇ କୁଣ୍ଡକୁ କ୍ଷୀରରେ ପୂର୍ଣ୍ଣ କରାଯାଇଥିଲା । ପ୍ରଥମେ ପାଟ ଭଗତା ମହାପ୍ରଭୁ ବାନାମ୍ବରଙ୍କୁ ଧରି ଝାମୁ ଯାତ୍ରାରେ ଉକ୍ତ ନିଆଁ ଉପରେ ଚାଲିଥିଲେ। ପରେ ଦଣ୍ଡୁଆ ଓ ମାନସିକ ଧାରୀ କିଛି ଛୋଟ ଛୋଟ ଶିଶୁଙ୍କୁ ସେହି ନିଆଁ ଦଣ୍ଡୁଆ ମାନେ ଧରି ଅଗ୍ନି ଦଣ୍ଡ ଭୋଗିଥିବା ଦେଖିବାକୁ ମିଳିଛି | ଏଥି ସହିତ ଶରଣକୁଳ ଅଞ୍ଚଳରେ ପ୍ରାୟ ପ୍ରତ୍ୟେକ ଗ୍ରାମରେ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବିଶ୍ଵଶାନ୍ତି ଯଜ୍ଞମାନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟାରେ ପଣା ପ୍ରସ୍ତୁତ କରି ସମସ୍ତ ଭକ୍ତଙ୍କୁ ପ୍ରଦାନ କରାଯିବାର ବନ୍ଦୋବସ୍ତ କରାଯାଇଛି ।