ପୁରୀ ରାଜନିତୀ ଉଷ୍ମ ହେଉଛି : ଫଟୋ ଓ ସୋସିଆଲ ମିଡିଆରେ ପ୍ରଚାର ଯୋର – ଭୋଟରଙ୍କ ନିରବତା

୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡିଶାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ପୁରୀ ସଦର ନିର୍ବାଚନ ମଣ୍ଡଳୀର ଗୁରୁତ୍ବ ରହିଛି । ଏଠାରୁ ନିର୍ବାଚିତ ହୋଇଥିବା ଅଧିକାଂଶ ବିଧାୟକଙ୍କ ପ୍ରଭାବ ରାଜ୍ଯରେ ରହିଥିଲା । ୧୯୫୧ ମସିହାରେ ପ୍ରଥମ ବିଧାୟକ ଭାବେ ସୋସିଆଲିଷ୍ଟ ପାର୍ଟିର ଫକୀର ଚରଣ ଦାସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୫୭ରେ ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ହରିହର ବାହିନିପତି, ୧୯୬୧ରେ ଜାତୀୟ କଂଗ୍ରେସର ଭଗବାନ ପ୍ରତିହାରୀ,୧୯୬୭ରେ ପୁଣି ହରିହର ବାହିନିପତି ନିର୍ବାଚିତ ହୋଇଥିଲେ ।

୧୯୭୧ ଓ ୧୯୭୪ରେ ଜାତୀୟ କଂଗ୍ରେସର ବ୍ରଜମୋହନ ମହାନ୍ତି,୧୯୭୭,୧୯୮୫,୧୯୯୦ରେ ଜନତା ପାର୍ଟି ଓ ପରେ ଜନତା ଦଳରୁ ବ୍ରଜକିଶୋର ତ୍ରିପାଠୀ ବିଜୟ ଲାଭ କରିଥିଲେ । ୧୯୮୦ରେ ଜାତୀୟ କଂଗ୍ରେସର ଗଦାଧର ମିଶ୍ର ଓ ୧୯୯୧ ଉପନିର୍ବାଚନରେ ଜନତା ଦଳରୁ ଉମାବଲ୍ଲଭ ରଥ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦,୨୦୦୪,୨୦୦୯ ଓ ୨୦୧୪ରେ ଜନତା ଦଳ ଓ ବିଜୁ ଜନତା ଦଳରୁ ୫ଥର ମହେଶ୍ୱର ମହାନ୍ତି ଏହି ଆସନକୁ ତାଙ୍କ ଦଖଲରେ ରଖିଥିଲେ ।

୨୦୧୯ ରେ ବିଜେପିର ଜୟନ୍ତ କୁମାର ଷଡଙ୍ଗୀ ବିଧାୟକ ଭାବେ ବିଜୟ ଲାଭ କରିଥିବା ବେଳେ ୨୦୨୪ରେ ପୁଣି ସେହି ଦଳରୁ ପ୍ରାର୍ଥୀ ହେବା ପାଇଁ ବିଜେପି ଦଳ ଘୋଷଣା କରିଛି । ତିନିମାସ ତଳେ ବିଜେଡିର ଅନେକ ଆଶାୟୀ ପ୍ରାର୍ଥୀ ରହିଥିଲେ । ରାଜ୍ଯ କମିଟି ଓ ଜିଲ୍ଲା କମିଟି ପରାମର୍ଶ କ୍ରମେ ଅତି ଚତୁରତାର ସହ ସୁକ୍ଷ୍ମ ବୁଦ୍ଧି ପ୍ରୟୋଗ କରି ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ପୁତ୍ର ସୁନିଲ ମହାନ୍ତି ଦଳୀୟ ପ୍ରାର୍ଥୀ ପାଇଁ ବାଟ ଫିଟିଥିଲା । ଅନ୍ଯପକ୍ଷରେ ବିଜେଡିର ହାଇକମାଣ୍ଡ ପୁରୀରୁ ଆଶାୟୀ ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ଯ ସଭା ପଠାଇ ସଦରବ୍ଲକ ଚେୟାରମ୍ଯାନ ଦିବାକର ପାତ୍ରଙ୍କୁ ଜିଲ୍ଲା ସଭାପତି ଭାବେ ଘୋଷଣା କରାଯାଇଥିଲା ।

ସମସ୍ତ ଘଟଣା କ୍ରମକୁ ସଚେତନ ଭୋଟର ତୀକ୍ଷ୍ଣ ନଜର ରଖିଥିବା ଆଲୋଚନା ହେଉଛି ।ଏବେ କିଛି ଦିନ ହେଲାଣି ସୋସିଆଲ ମିଡିଆ ଓ ଦଳୀୟ ବୈଠକ ଚା ଖଟିରେ ନେତାଙ୍କ ଆର୍ବିଭାବ ଦେଖିବାକୁ ମିଳୁଛି । ଅନ୍ଯପକ୍ଷରେ ଗତ ନିର୍ବାଚନରେ ବିଜେଡିରୁ ଯାଇ ବିଜେପିରେ ମିଶିବା ପରେ ମାସକ ଭିତରେ ଜୟନ୍ତ ଷଡଙ୍ଗୀ ବିଧାୟକ ଆସନ ଅକ୍ତିଆର କରିଥିଲେ । ଅତି ଚତୁରତାର ସହ ଜୟନ୍ତ ତାଙ୍କ ଚିରା ଚରିତ ଢଙ୍ଗରେ ଭୋଟରଙ୍କ ପାଖକୁ ଯାଉଛନ୍ତି । ଅନ୍ଯ ଦଳର କର୍ମୀ ବିଜେଡିରେ ମିଶୁଥିବା ବେଳେ ବିଜେପି ମଧ୍ଯ ଅନ୍ଯଦଳର ନେତା ଓ କର୍ମୀଙ୍କୁ ମିଶାଉଛି ।

ମିଶ୍ରଣ ପର୍ବ ଯୋରଦାର ଚାଲିଥିବା ବେଳେ ଫେଡାଣ ପର୍ବର ଗୁରୁତ୍ବ ଦିଆଯାଉନାହିଁ । ଉମାବଲ୍ଲଭ ରଥ, ହରେକୃଷ୍ଣ ସିଂହାରୀ,ପ୍ରସନ୍ନ ମିଶ୍ର, ପିକୁ ପଟ୍ଟନାୟକ ଓ ଜଣେ ମହିଳା ପ୍ରାର୍ଥୀ ଭାବେ ଆଶାୟୀ ଅଛନ୍ତି । ଭୋଟର ଏବେ କଣ ନିଷ୍ପତ୍ତି ନେବେ, କାହାକୁ ବିପୁଳ ସଂଖ୍ୟାରେ ଭୋଟ ଦେବେ କାହାର ପଲା ଭାରି ହେବ, କାହାକୁ ବାଛିଲେ ଲୋକଙ୍କ କାମ ହେବ ତାକୁ ନେଇ ଏବେ ସାହି ଗଳିକନ୍ଦି ସମେତ ଛକ ଓ ବଡଦାଣ୍ଡରେ ସରଗରମ ଚର୍ଚ୍ଚା ହେଉଛି ।