୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନରେ ବାଜିମାତ କରିବ ।
ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ବିଜେଡି ନେତା ଭି କାର୍ତ୍ତିକ ପାଣ୍ଡିଆନ୍ ଏଭଳି ଆକଳନ କରିଛନ୍ତି ।
୦୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡି ବାଜିମାତ କରିବ । ବିଜେଡି ନେତା ଭି କାର୍ତ୍ତିକ ପାଣ୍ଡିଆନ୍ ଏଭଳି ଆକଳନ କରିଛନ୍ତି । ଶ୍ରୀ ପାଣ୍ଡିଆନଙ୍କ ଆକଳନ ଅନୁସାରେ ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନରେ ବାଜିମାତ କରିବ । ଭୁବନେଶ୍ୱରଠାରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ କନଭେନସନରେ ଯୋଗଦେଇ ଶ୍ରୀ ପାଣ୍ଡିଆନ ଏହା କହିଛନ୍ତି । ସେ କହିଛନ୍ତି ଯେ, ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ମାର୍ଜିନରେ ବିଜୟୀ ହୋଇ ପୁଣି ଥରେ ସରକାରକୁ ଆସୁଛନ୍ତି ।
ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବା ସୁନିଶ୍ଚିତ । ସେହିଭଳି ଲୋକସଭାରେ ମଧ୍ୟ ଗତଥର ଠାରୁ ଭଲ ପ୍ରଦର୍ଶନ କରିବ ଦଳ । ସେଥିପାଇଁ ଲୋକଙ୍କଠାରୁ ଦୁଇଟି ଆଶୀର୍ବାଦ ଦରକାର । ଗୋଟିଏ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ । ପ୍ରାର୍ଥୀକୁ ଦେଖିବେ ନାହିଁ । ବରଂ ନବୀନ ପଟ୍ଟନାୟକ ଏବଂ ଶଂଖ ଚିହ୍ନକୁ ଦେଖିବେ । କାରଣ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ନବୀନ ପଟ୍ଟନାୟକ ଏବଂ ଶଂଖ ଚିହ୍ନ ହି ଛିଡ଼ା ହୋଇଛି ବୋଲି ସେ କହିଛନ୍ତି । ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ସଶକ୍ତ ଓ ନବୀନ ଓଡ଼ିଶା ଗଠନରେ ଶ୍ରମିକମାନଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସବୁ ବିକାଶ କାମ ପଛରେ ଶ୍ରମିକଙ୍କ ହାତ ରହିଛି । ସେଥି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଶ୍ରମିକମାନଙ୍କୁ ପ୍ରାଥମିକତା ଓ ସମ୍ମାନ ଦେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ଗୋଟେ ସମୟରେ ୧୧ଟଙ୍କାରୁ ୨୫ ଟଙ୍କାକୁ ଦୈନିକ ମଜୁରୀ ବୃଦ୍ଧି ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ । ଏବେ ମଧ୍ୟ ନବୀନ ପଟ୍ଟନାୟକ ସର୍ବାଧିକ ୧୦୦ ଟଙ୍କା ମଜୁରୀ ବୃଦ୍ଧି କରି ରେକର୍ଡ କରିଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗ ୧୦୦ ଟଙ୍କା ମଜୁରୀ ବୃଦ୍ଧି ସପନରେ ନଥିଲେ ।
କାରଣ ୧୦୦ ଟଙ୍କା ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୫ରୁ ୬ ହଜାର କୋଟି ଟଙ୍କାର ଅଧିକ ବୋଝ ପଡ଼ିବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତିଥିଲା ଯେଉଁ ଶ୍ରମିକମାନେ ରାଜ୍ୟ ବିକାଶର ମୁଖ୍ୟ ବିନ୍ଧାଣୀ ସେମାନଙ୍କ ପାଇଁ ୫/୬ ହଜାର କୋଟିର ବୋଝ ନେବାକୁ ସରକାର ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ୩୫୦ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆହୁରି ବହୁତ କିଛି କରିବାକୁ ବାକି ଅଛି । ଏଥର ସରକାରକୁ ଆସିଲେ ସେ ସବୁ ପୂରଣ କରାଯିବ ।