୦୬ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ବର :-> ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଇସ୍ତଫାପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି । ବିଜେପିରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ପୁଣି ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି ।
ବିଜେଡି ସରକାରରେ ମନ୍ତ୍ରୀ ଥିବା ସମୟରେ ରଘୁନାଥ ମହାନ୍ତି ବଧୂ ନିର୍ୟାତନା ଅଭିଯୋଗରେ ଗିରଫ ହୋଇଥିଲେ । ଗିରଫ ହେବା ପରେ ତାଙ୍କୁ ବିଜେଡି ନିଲମ୍ବନ କରିଥିଲା । ତେବେ ପୁଅ-ବୋହୂଙ୍କ ମାମଲାର ସମାଧାନ ହୋଇଯିବା ପରେ ସେ ପୁଣି ବିଜେଡିରେ ଦାୟିତ୍ୱ ପାଇଥିଲେ ।
ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରଘୁନାଥ ବିଜେଡି ଛାଡ଼ି ବିଜେପି ଶିବିରରେ ଯୋଗ ଦେଇଥିଲେ । ଏହାପରେ ସେ ବିଜେପି ଟିକଟରେ ବସ୍ତା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଏବଂ ହାରି ଯାଇଥିଲେ । ବସ୍ତା ଆସନରୁ ରଘୁନାଥ ମହାନ୍ତି ୫ ଥର ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ ।
ସେ ସରକାରୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ । ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକଟରେ ଏଠାରୁ ବିଜୟୀ ହୋଇଥିବା ବେଳେ ତା’ପରେ ତିନି ଥର ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ।














