ବାଲିକୁଦା – ଏରସମାରେ ପ୍ରବୋଧ ସାମନ୍ତରାଙ୍କ ସପକ୍ଷରେ ବାତାବରଣ ଅନୁକୂଳ

୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଯୁବ ନେତା ପ୍ରବୋଧ ସାମନ୍ତରାଙ୍କ ପ୍ରାର୍ଥୀତ୍ବ ସପକ୍ଷରେ ବାଲିକୁଦା – ଏରସମା ନିର୍ବାଚନମଣ୍ଡଳୀରେ ବାତାବରଣ ବେଶ ଅନୁକୂଳ ଥିବା ଲକ୍ଷ୍ୟ କରାଯାଉଛି। ଶ୍ରୀ ସାମନ୍ତରା ଶାସକ ବିଜୁ ଜନତା ଦଳ ତରଫରୁ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଖୁବ ଉଜ୍ଜ୍ବଳ ରହିଛି। ବୁନୁ ନାମରେ ଗାଁ ଗଣ୍ଡାରେ ଲୋକପ୍ରିୟ, ପ୍ରବୋଧଙ୍କୁ ଏହି ଇଲାକା ର ଯୁବ , ମହିଳା, ଶିକ୍ଷିତ, ଚାଷୀ ଏବଂ ଗରିବ ଗୁରୁବା ଭୋଟ ଦାତା ମାନେ ବହୁ ସଂଖ୍ୟାରେ ପସନ୍ଦ କରୁଥିବାର ଖବର ମିଳିଛି। ବିଶେଷକରି ଶ୍ରୀ ସାମନ୍ତରା ଙ୍କର ସ୍ୱଚ୍ଛ ଭାବମୂର୍ତ୍ତି , ସତେଜ ବ୍ୟକ୍ତିତ୍ଵ, ଅମାୟିକ ବ୍ୟବହାର, ଦରଦୀ ଭାଵନା, କଷ୍ଟ ସହିଷ୍ଣୁ ପ୍ରବୃତ୍ତି, ପରୋପକାରୀ ଚିନ୍ତାଧାରା, ମେଳାପି ସ୍ଵଭାବ, ବନ୍ଧୁ ବତ୍ସଳ ପ୍ରକୃତି ଏବଂ ସର୍ବଜନ ମଙ୍ଗଳ ଦୃଷ୍ଟିଭଙ୍ଗୀ ସର୍ବସାଧାରଣଙ୍କ ନିକଟରେ ତାଙ୍କୁ ଆଦୃତ କରାଇବାରେ ସହାୟକ ହେଉଥିବା ଦେଖାଯାଉଛି।

ବାଲିକୁଦା – ଏରସମାର ସର୍ବାଙ୍ଗୀନ ଉନ୍ନୟନ କରାଯିବା ନେଇ ଶ୍ରୀ ସାମନ୍ତରା ଏହା ମଧ୍ୟରେ ତାଙ୍କର ଯୋଜନା ସୂଚୀ ପ୍ରସ୍ତୁତ କରି ସାରିଥିବା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଏ ମଧ୍ୟରେ ଏଠାରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା କରି ସ୍ଥାନୀୟ ବେକାର ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା, ଜଳ ସେଚନ ପ୍ରଣାଳୀର ଉନ୍ନତି କରଣ, ପ୍ରତ୍ୟେକ ଗ୍ରାମ ଓ ସାହି କୁ ସବୁଦିନିଆ କଂକ୍ରିଟ ରାସ୍ତା ନିର୍ମାଣ, ପ୍ରତ୍ୟେକ ଘରକୁ ବିଜୁଳି ଓ ପାନୀୟ ଜଳ ଯୋଗାଣ, ଗ୍ରାମୀଣ ପର୍ଯ୍ୟଟନ କୁ ପ୍ରୋତ୍ସାହନ ଦିଆଯିବା, ଏହି ନିର୍ବାଚନ ମଣ୍ଡଳୀରେ ଶତକଡ଼ା ୯୦ ଭାଗ ଚାଷୀ ରହିଥିବାରୁ ସେମାନଙ୍କୁ ଅତ୍ୟାଧୁନିକ ଚାଷ ସରଞ୍ଜାମ ଯୋଗାଯାଇ ସେମାନଙ୍କର ରୋଜଗାର ବୃଦ୍ଧି କରାଯିବା, ଗାଈ, ଛେଳି, କୁକୁଡ଼ା, ମାଛ ଏବଂ ଫୁଲ ଚାଷ ନେଇ ସଚେତନତା ସୃଷ୍ଟି କରାଯିବା,

ଆଦର୍ଶ ଓ କେନ୍ଦ୍ରୀୟ ବିଦ୍ୟାଳୟମାନ ଖୋଲା ଯାଇ କୁଶଳୀ ଓ ପେଶାଦାରୀ ଶିକ୍ଷା ପ୍ରଚଳନ କରାଯିବା ଏବଂ ମହିଳାମାନଙ୍କ ପାଇଁ ସ୍ୱୟଂ ସହାୟକ ସଂସ୍ଥା ଜରିଆରେ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଯିବା ଆଦି ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି। ଜଣେ ଲୋକ ପ୍ରତିନିଧି ଭାବରେ ବାଲିକୁଦା – ଏରସମା ବାସୀ ଙ୍କର ସମସ୍ୟା ସମାଧାନ ପାଇଁ ତାଙ୍କ ଦ୍ବାର ଦିନ ରାତି ଉନ୍ମୁକ୍ତ ରହିବ ବୋଲି ବୁନୁ ଘୋଷଣା କରିଛନ୍ତି। ସେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ବୋଲି ଦର୍ଶାଇ ତାଙ୍କର କାମ ହିଁ କଥା କହିବ ବୋଲି ଶ୍ରୀ ସାମନ୍ତରା ସୂଚାଇଛନ୍ତି। ନିକଟରେ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ବାଲିକୁଦା ବ୍ଲକ ଅନ୍ତର୍ଗତ ନିଜ ଗାଁ ଗରାମ ସ୍ଥିତ ସାମନ୍ତରା ପରିବାରର ଇଷ୍ଟ ଦେବତା ୨୦୦ ବର୍ଷର ପୁରୁଣା ବାସୁଦେବ ମନ୍ଦିରରେ ପୂଜାର୍ଚ୍ଚନା କରି ବୁନୁ ତାଙ୍କର ପ୍ରଚାର କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି।

ପ୍ରବୋଧଙ୍କର ବଡ଼ ଭାଇ ବେଙ୍ଗାଲୁରୁ ନିବାସୀ ବିଶିଷ୍ଟ ମହାକାଶ ବୈଜ୍ଞାନିକ ଏବଂ ଅସୀମ ଓଡ଼ିଶାର ମୁଖ୍ୟ ପ୍ରୋତ୍ସାହକ ନିହାର ସାମନ୍ତରା ବୁନୁଙ୍କୁ ଶୁଭକାମନା ଜଣାଇ ତାଙ୍କ ଭଳି ଜଣେ ପ୍ରଗତିଶୀଳ ଓ ଉଚ୍ଚମନା ଯୁବନେତାଙ୍କ ଦ୍ଵାରା ବାଲିକୁଦା – ଏରସମା ଅଞ୍ଚଳର ବ୍ୟାପକ ଭାବେ ବିକାଶ ସମ୍ଭବପର ହୋଇପାରିବ ବୋଲି ଆଶାପ୍ରକାଶ କରିଛନ୍ତି। ନାବାର୍ଡର ଓଡ଼ିଶା ଶାଖାର ଉପମୁଖ୍ୟ ଭାବରେ କାର୍ଯ୍ୟରତ ଶ୍ରୀ ସାମନ୍ତରାଙ୍କର ଅନ୍ୟତମ ଭାଇ ଡଃ ସମୀର ସାମନ୍ତରା,

ବାଲିକୁଦା – ଏରସମାର ସମ୍ମାନସ୍ପଦ ଓ ସମ୍ଭ୍ରାନ୍ତ ସାମନ୍ତରା ପରିବାରର ଯୋଗ୍ୟ ଦାୟଦ ଭାବରେ ପ୍ରବୋଧ ଏହି ଅଞ୍ଚଳର ସାମାଜିକ ଓ ଆର୍ଥିକ ଉତ୍ଥାନ ଦିଗରେ ନିର୍ଣ୍ଣାୟକ ଯୋଗଦାନ ଦେବାରେ ନିଶ୍ଚିତ ଭାବରେ ସକ୍ଷମ ହେବେ ବୋଲି ମତ ପ୍ରକାଶ କରିଛନ୍ତି। ବହୁଜନଙ୍କର ବାଣୀ ଈଶ୍ୱର ବାଣୀ ଭଳି ବାଲିକୁଦା – ଏରସମାର ଆବାଳବୃଦ୍ଧବନିତାଙ୍କର ଅଶେଷ ଆଶୀର୍ବାଦ ଓ ଅଜସ୍ର ସମର୍ଥନକୁ ପାଥେୟ କରି ବୁନୁ ଆଗାମୀ ନିର୍ବାଚନ ବୈତରଣୀକୁ ଯେ ଅନାୟସରେ ପାରି ହେବାକୁ ସଫଳ ହେବେ, ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ ବୋଲି ତାଙ୍କର ସମର୍ଥକ ମାନେ ଦମ୍ଭ ପ୍ରକାଶ କରୁଛନ୍ତି ।