ନିରାଶ ହେଲେ ବିଶ୍ବଜିତ୍ ଓ ଆଲେକ୍ଜାଣ୍ଡାର ବିଜେଡ଼ି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା
୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) କୋରାଇ :-> ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟି ଶେଷରେ ବିଜେପି କୋରାଇ ପାଇଁ ପୂର୍ବତନ ବିଧାୟକ ତଥା ସିନେ ଅଭିନେତା ଆକାଶ ଦାସ ନାୟକଙ୍କ ନାଁ ରେ ମୋହର ମାରିଛି । ବିଜେପିର ମଙ୍ଗଧରିଥିବା ବିଶ୍ୱଜିତ ନାୟକ ଓ ଯୁବ ସଙ୍ଗଠକ ଆଲେକଜାଣ୍ଡାର ଦାସଙ୍କୁ ନିରାଶ ହେବାକୁ ପଡିଛି । ଉଭୟ ଶିବିରରେ ଏବେ ନୈରାଶ୍ୟ ଭାବ ଦେଖାଦେଇଛି । ମଙ୍ଗଳବାର ବିଜେପି ପକ୍ଷରୁ ବିଧାନସଭା ଲାଗି ୧୧୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ କୋରାଇ ଆସନ ଲାଗି ଆକାଶ ଦାସନାୟକଙ୍କ ନାମ ରହିଛି । ଶ୍ରୀ ଦାସନାୟକ ବିଜେଡି ଟିକେଟରୁ କୋରାଇ ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ ପ୍ରତିଦ୍ବନ୍ଦିତା କରି ବିଜୟ ଲାଭ କରିଥିଲେ । ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନ ଦେଇ ନୂଆ ମୁହଁ ଦେଇଥିଲା ।
ଟିକେଟରୁ ବଂଚିତ ହୋଇ ମଧ୍ୟ କୋରାଇରୁ ଦୂରେଇ ଯାଇ ନ ଥିଲେ । ଦଳର ଷ୍ଟାର ପ୍ରଚାରକ ଭାବେ ନିର୍ବାଚନୀ ସଭା ଓ ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଆଙ୍କରିଙ୍ଗ କରି ସଭାକୁ ସରସ ସୁନ୍ଦର କରିଥିଲେ । ସେ ସବୁଜ କୋରାଇ ସୃଷ୍ଟି ପାଇଁ ଅଂଚଳର ପଂଚାୟତରେ ଚାରା ବଂଟନ କାର୍ଯ୍ୟକ୍ରମର ଆୟୋଜନ କରି ବେଶ ଲୋକପ୍ରିୟ ହୋଇଥିଲେ । ଏଥର ଦଳ ତାଙ୍କୁ ଟିକେଟ ଦେବ ବୋଲି ତାଙ୍କର ଦୃଢ ଆଶା ଓ ବିଶ୍ବାସ ରହିଥିଲା । ହେଲେ ତାଙ୍କୁ ଏଥରେ ନିରାଶ ହେବାକୁ ସୂଚନା ମିଳିଥିଲା । ଯାହା ଫଳରେ ସେ ଗତ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।
ପରେ ରବିବାର ବିଜେପିରେ ଯୋଗଦେଇ ଥିଲେ । ଗୋଟିଏ ଦିନର ବ୍ୟବଧାନ ପରେ ତାଙ୍କୁ କୋରାଇରୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏହି ଆସନ ପାଇଁ ଶାସକ ବିଜେଡି କିମ୍ବା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡ଼ିରେ ବର୍ତମାନର ବିଧାୟକ ଅଶୋକ ବଳ ଆଶାୟୀ ଥିବା ବେଳେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଏବଂ ତାଙ୍କ ଭାଇ ଭବପ୍ରକାଶ ଦାସ ଓରଫ ଲଲଙ୍କ ନାମ ଚର୍ଚ୍ଚାରେ ରହିଛି, । ହେଲେ ଆଜି ବିଜେପିରୁ ଆକାଶଙ୍କ ପ୍ରାର୍ଥୀ ହେବା ପରେ ବିଜେଡିର ନିଦ ହଜିଯାଇଛି । ନେତା ଓ ଆଶାୟୀ ବ୍ୟକ୍ତି କର୍ମୀଙ୍କୁ ନେଇ ଘନଘନ ତତ୍କାଳ ବୈଠକ କରୁଛନ୍ତି ।
କଂଗ୍ରେସରେ ଗତ ନିର୍ବାଚନରେ ଦଳର ପ୍ରାର୍ଥୀ ଥିବା ତଥା ପିସିସି ଉପସଭାପତି ବନ୍ଦିତା ପରିଡାଙ୍କ ନାମ ଆଗରେ ରହିଥିଲା ବେଳେ କିଛି ନୂଆମୁହଁ ନାମ ମଧ୍ୟ ତାଲିକାକୁ ଆସୁଛି । ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ବିଗତ ଦିନରେ ଏଠାରେ ବିରୋଧ ଦଳର ଭୂମିକାରେ ଥିବା ବେଳେ ଗତ ନିର୍ବାଚନରେ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଥିବା ବିଶ୍ୱଜିତ ନାୟକଙ୍କୁ ୪୨୬୭୯ଖଣ୍ଡ ଭୋଟ ମିଳିଥିଲା । ହେଲେ ତାଙ୍କୁ ନଦେଇ କେଉଁ ଆଧାରରେ ଶ୍ରୀ ଦାସ ନାୟକକଙ୍କୁ ବିଜେପି ପ୍ରାର୍ଥୀ କରିବାକୁ ନିଷ୍ପତି ନେଲେ ବୋଲି କର୍ମୀ ମହଲରୁ କୁହାଯାଉଛି। ପୂର୍ବରୁ ଶ୍ରୀ ଦାସନାୟକଙ୍କୁ ସମର୍ଥନ କରି ଆସିଥିବା ବିଜେଡ଼ିର କେତେକ କର୍ମୀ ଓ ଭୋଟର ମଧ୍ୟ ତାଙ୍କ ସହ ଦଳଛାଡି ଆସିଥିବା ଦେଖିବାକୁ ମିଳୁଛି ।
ଅନ୍ୟପକ୍ଷରେ ଆଉ ଏକ ମୁଖ୍ୟ ପ୍ରସଙ୍ଗ ହେଲା ଏଠାରେ ବିଜେପି ସଂଗଠନକୁ ସଜାଡି ଆସିଥୁବା ତଥା ଗତଥରର ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କ ଆଭିମୁଖ୍ୟ ସମ୍ପର୍କରେ । ସେ ତାଙ୍କ ସମର୍ଥକଙ୍କୁ ନେଇ ସୋମବାର ଭୁବନେଶ୍ଵରରେ ରାଜ୍ୟ ସଭାପତିଙ୍କୁ ଭେଟିଥିଲେ । ବିଶ୍ୱଜିତ୍ଙ୍କୁ କୋରାଇରୁ ପୁନଃର୍ବାର ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଦାବି ଉଠିଥିଲା I ହଠାତ ସାକ୍ଷାତର ଗୋଟିଏ ଦିନ ପରେ ପ୍ରାର୍ଥୀ ଘୋଷଣା ଦଳକୁ ପୂର୍ବପରି କେତେ ସଙ୍ଗଠିତ କରି ରଖୁ ପାରୁଛି ତାହା ମଧ୍ୟ ଦେଖୁବାର କଥା । ବିଶ୍ୱଜିତ ପୂର୍ବ ନିର୍ବାଚନରେ ବିଜେଡ଼ି ଠାରୁ ୩୨ ହଜାର ଭୋଟ ପଛରେ ଥିଲେ । ବର୍ତମାନ ବିଜେଡ଼ି ପାଇଁ କୋରାଇ ଆସନ ଏକ ଚ୍ୟାଲେଞ୍ଜ ହେବାକୁ ଯାଉଥିବା ବେଳେ ସମ୍ମାନର ପ୍ରଶ୍ନ ମଧ୍ୟ ହୋଇଛି ।
ବିଶ୍ବଜିତଙ୍କ ସହ ଆଗଧାଡ଼ିରେ ଥିବା ଅନେକ ଛାମୁଆ କର୍ମୀ କଂଗ୍ରେସ ଦଳରୁ ଆସିଥିଲେ । ଆଗାମୀ ଦିନରେ ସେମାନେ ନିଜ ମନକୁ ବୁଝାଇ ବିଜେପି ପ୍ରତି ଆନୁଗତ୍ୟ ପ୍ରକାଶ କରୁଛନ୍ତି କି ତାଙ୍କ ପ୍ରତି ଅବିଚାର ନ୍ୟାୟରେ ଆଉ କିଛି ନିଷ୍ପତି ନେଉଛନ୍ତି ତାହା ସମୟ ହଁ କହିବ । ସେହିପରି ବିଜେପିର ଯୁବ ସଙ୍ଗଠକ ଇଂ ଆଜେକଜାଣ୍ଡାର ଦାସ କୋରାଇରେ ଘରଘର ବୁଲି ସଙ୍ଗଠନ ସଜାଡିଥିଲେ । ସେ ମଧ୍ୟ ପ୍ରାର୍ଥୀ ହେବା ଲାଗି ରାଜ୍ୟ ଠାରୁ କେନ୍ଦ୍ର ନେତୃବୃନ୍ଦଙ୍କ ଠାରୁ ଅଭୟ ବାଣୀ ପାଇଥିଲେ । ଅନ୍ୟଦଳର ଯୁବବର୍ଗଙ୍କୁ ଦଳରେ ସାମିଲ କରିବା ସହ ଦଳକୁ ସୁଦୃଢ କରିଥିଲେ । ସେ ଆଜି ନିରାଶ ହେବା ପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଶ୍ରୀ ଦାସନାୟକଙ୍କ ପାଇଁ ବିଶ୍ୱଜିତ ଓ ଆଲେକ୍ସ ଙ୍କ ସମର୍ଥକ ସଫଳତା ଆଉ ବିଫଳତାର ନିର୍ଣ୍ଣାୟକ ଭୂମିକା ନେବେ ବୋଲି ରାଜନୈତିକ ସମୀକ୍ଷକ ମତପ୍ରକାଶ କରିଛନ୍ତି |