୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଗତ କିଛି ଦିନ ଧରି ରାଜ୍ୟରେ ପାରଦ ଉପର ମୁହାଁ ହୋଇଛି। ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ତାପପ୍ରବାହ ଜନ ଜୀବନକୁ କଲବଲ କରୁଛି। ତାତି ବୃଦ୍ଧି ସହ ଗୁଳୁଗୁଳି ଅନୁଭୁତ ହେଉଥିବାରୁ ଲୋକେ ପଦାକୁ ବାହାରିବା କଷ୍ଟକର ହୋଇଛି। ତଥାପି ଟାଣ ଖରକୁ ଖାତିର ନ କରି ସାଧାରଣ ଲୋକେ ଜରୁରୀ ଆବଶ୍ୟକତା ଅନୁସାରେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିବାକୁ ପଡୁଛି . ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଜଳଛତ୍ର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଜାରୀ କରିଛନ୍ତି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ ଅନୁସାରେ ହିଞ୍ଜିଳିକାଟୁ ବ୍ଳକ ପକ୍ଷରୁ ପଞ୍ଚାୟତ ସ୍ତରରେ ପାନୀୟ ଜଳ ସେବା କେନ୍ଦ୍ର ଆରମ୍ଭ ହୋଇଛି ।
ସୋମବାର ଉତ୍କଳ ଦିବସ ଅବସରରେ ହିଞ୍ଜିଳିକାଟୁ ବ୍ଳକ ରାଳବ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମର ଜନ ଗହଳି ପୂର୍ଣ୍ଣ ରାଳବ ଛକରେ ଏକ ଜଳଛତ୍ର କେନ୍ଦ୍ର ଆରମ୍ଭ ହୋଇଥଲା। ଚୈତ୍ର ମଙ୍ଗଳବାର ମା ତାରାତାରିଣୀଙ୍କ ପୀଠକୁ ଯାତାୟତ କରୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ସହ ନବାତ ପଣା ଯୋଗାଇବା ପାଇଁ ସୁବିଧା କରାଯାଇଛି। ବସ ରହଣୀ ସ୍ଥଳ ଓ ଜନଗହଳି ପୂର୍ଣ୍ଣ ଛକ ସ୍ଥାନ ଗୁଡ଼ିକରେ ଅପେକ୍ଷାରତ ପଥଚାରୀ, ତୃଷାର୍ତ୍ତଙ୍କ ବ୍ଯବହାର ଲାଗି ବିଶୁଦ୍ଧ ପାନୀୟ ଜଳଛତ୍ର କେନ୍ଦ୍ର ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ରଶ୍ମିତା ପ୍ରଧାନ, ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର, ସମାଜସେବୀ କାଳୀ ଚରଣ ଦଳାଇ, ଯୋଗାଣ ସହାୟକ ସୁବାସ ଚନ୍ଦ୍ର ରାଉତ, ଗାଁ ସାଥୀ ଅରୁଣ ବରଡ, ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।