୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିଲା । ଭୁବନେଶ୍ୱର ଝାରପଡ଼ା ଜେଲରେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ ରେଡ୍ କରାଯାଇଛି। ଜେଲରେ ଗାଙ୍ଗୱାର ପରେ ଡିସିପିଙ୍କ ନେତୃତ୍ୱରେ ରେଡ୍ ହୋଇଥିବା ସୂଚନା ମିଳିଛି। ଜେଲର ପ୍ରତ୍ୟେକ ସେଲରେ ଛାନଭିନ୍ କରିଛି ସ୍ପେଶାଲ ଟିମ୍ । ଏହି ଚଢ଼ାଉରେ ଡିସିପିଙ୍କ ନେତୃତ୍ୱରେ ୬ ଜଣ ଏସିପି, ୫ ଜଣ ଆଇଆଇସି ସହିତ ଏକ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି । ପ୍ରତ୍ୟେକ ୱାର୍ଡରେ ଯାଞ୍ଚ କରାଯାଇଛି ।

ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିବା ସୂଚନା ମିଳିଥିଲା । ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ ହୋଇଥିଲା। ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଜେଲ ବିଭାଗ ।
ରେଡ୍ ନେଇ ଡିସିପି କହିଛନ୍ତି, ଜେଲରୁ ବିଶେଷ କିଛି ଆପତ୍ତିଜନକ ସାମଗ୍ରୀ ମିଳିନାହିଁ । କମନ୍ ଏରିଆରୁ କିଛି ଗଂଜେଇ, ବିଡ଼ି, ସିଗାରେଟ ଓ ଲାଇଟର୍ ମିଳିଛି । କେମିତି ଏପରି ସାମଗ୍ରୀ ଜେଲ ଭିତରକୁ ନ ଆସିବ, ସେଥିପାଇଁ ଜେଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଛି । ଜେଲର ସୁରକ୍ଷା ଓ ଆଗାମୀ ଦିନରେ ନିର୍ବାଚନ ଆସୁଥିବାରୁ ଏପରି ରେଡ୍ କରାଯାଇଥିବା କହିଛନ୍ତି ଡିସିପି ।














