୧୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :-> ବାଣିଗୋଛା ଥାନା ଅଂଚଳରେ ଦିନକୁଦିନ ବଢିଚାଲିଛି ଅପହରଣ ମାମଲା । ବାଣିଗୋଛା ଥାନା ଅଞ୍ଚଳରୁ ଗତ ଫେବ୍ରୁଆରି ୨୩ ତାରିଖ ଦିନ ଅପହରଣ ହୋଇଥିବା ଜଣେ ନାବାଳିକାକୁ ଉଦ୍ଧାର କରିଛି ବାଣିଗୋଛା ପୁଲିସ। ଅପହରଣକାରୀ ତାକୁଡ଼ା ଗ୍ରାମର ବରୁଣ ନାୟକଙ୍କ ପୁଅ ମନୋଜ ନାୟକ(୨୦)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ନାବାଳିକାର ପରିବାର ଲୋକ ଗତ ୧୪ ତାରିଖ ଦିନ ଝିଅକୁ ଖୋଜି ଆଣିବା ପାଇଁ ଥାନାରେ ଅଡ଼ି ବସିଥିବା ବେଳେ ପୁଲିସ ଫୁଲବାଣିରୁ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ନାବାଳିକାକୁ ଅପହରଣ କରି ନିଆଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଝିଅକୁ ହତ୍ୟାକରି ଫୋପାଡ଼ି ଦେବାକୁ ଉଦ୍ୟମ ଚାଲିଥିବା ପରିବାର ଲୋକେ ଜାଣିବା ପରେ ତୁରନ୍ତ ଉଦ୍ଧାର ପାଇଁ ଥାନାରେ ଅଡ଼ି ବସିଥିଲେ । ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଗତକାଲି ରାତିରେ ନାବାଳିକାକୁ ଫୁଲବାଣିରୁ ଉଦ୍ଧାର କରିଥିଲେ। ଆଜି ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ନାବାଳିକାକୁ ନୟାଗଡ଼ସ୍ଥିତ ସୁଧାର ଗୃହରେ ରଖାଯିବା ସହ ଅଭିଯୁକ୍ତ ମନୋଜକୁ ଗିରଫ କରି କେସ୍ ନଂ ୩୯/୨୦୨୪ ଅନୁଯାଇ, କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦଣ୍ଡସେନା କହିଛନ୍ତି ।