୧୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ସମ୍ବଲପୁର :-> ବାହାଘର ପୂର୍ବରୁ ଅଧାବାଟରୁ ବରକୁ ଉଠାଇନେଲା ପୁଲିସ । ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ବାମରାରେ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନାରେ ପ୍ରେମିକା ଅଭିଯୋଗ କରିବା ପରେ ପୁଲିସ ଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଧରୁଆଡିହି ଥାନା ଅଞ୍ଚଳର ପ୍ରେମିକା କରିଥିବା ଅଭିଯୋଗ ଅନୁସାରେ, ୭ ବର୍ଷ ତଳେ ବାମରା ଗୋବିନ୍ଦପୁର ଖୋକୋପଡ଼ାର ବିଷ୍ଣୁ ପିଙ୍ଗ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ପ୍ରେମ ଘନିଷ୍ଠ ହେବା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିନେଲା ।
ଏହି ସମୟରେ ବିଷ୍ଣୁ ପ୍ରେମିକା ଘରେ ୫ ମାସ ରହିଥିଲା । ବିବାହ କରିବ ଭାବି ପରିବାର ଲୋକେ ବି ତାକୁ ଘରେ ସ୍ଥାନ ଦେଇଥିଲେ। କିନ୍ତୁ ସମ୍ପର୍କର ୨ ବର୍ଷ ମଧ୍ଯରେ ପ୍ରେମିକା ଗର୍ଭବତୀ ହେବା ପରେ ଦିନେ ବିଷ୍ଣୁ କାହାକୁ କିଛି ନକହି ଚେନ୍ନାଇ ଚାଲିଗଲା । ପ୍ରେମିକା ସହ ଆଉ ଯୋଗସୂତ୍ର ରଖିଲା ନାହିଁ । ଏପଟେ ସେମାନଙ୍କ ସମ୍ପର୍କର ସନ୍ତକ ସ୍ବରୂପ ପ୍ରେମିକା କୋଳକୁ ଆସିଲା ଏକ ପୁଅ। ଯାହାକୁ ଏବେ ୫ ବର୍ଷ।ପୁଅ ଜନ୍ମ ହେଲା ପରେ ବିଷ୍ଣୁକୁ ଖବର ଦେବାକୁ ବହୁ ଚେଷ୍ଟା କରିଥିଲେ ପ୍ରେମିକା, ହେଲେ ବିଷ୍ଣୁ ଫୋନ୍ ନମ୍ବର ବଦଳାଇ ଦେଇଥିଲା ।
ଯାହା ଫଳରେ ଭାଗ୍ଯକୁ ନିନ୍ଦି ଟିକି ପୁଅ ସହ ବାପଘରେ ପଡ଼ି ରହିଲେ ସେ । ସେପଟେ ୫ ବର୍ଷ ଚେନ୍ନାଇରେ ମିସ୍ତ୍ରି କାମ କରି ରହିବା ପରେ ସପ୍ତାହ ତଳେ ଗାଁକୁ ଫେରିଥିଲା ବିଷ୍ଣୁ। ଆଉ ଧରୁଆଡିହିବସ୍ତିର ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲା । କୌଣସି ସୂତ୍ରରୁ ପ୍ରେମିକା ବିଷ୍ଣୁର ବିବାହ ଖବର ପାଇ ୧୬ ତାରିଖ ରାତିରେ ଅଭିଯୋଗ କରିବାକୁ ଗୋବିନ୍ଦପୁର ଥାନାକୁ ଯାଇଥିଲେ । ପୁଲିସ ତାଙ୍କୁ ଧରୁଆଡିହି ଥାନାକୁ ପଠାଇ ଦେଇଥିଲେ । ରବିବାର ସକାଳେ ପ୍ରେମିକା ଧରୁଆଡିହି ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ । ସକାଳ ୯ ଟାରେ ବିଷ୍ଣୁ ବରବେଶରେ ବରାତି ସହ ଧରୁଆଡିହି କନିଆ ଘର ଅଭିମୁଖେ ବାହାରି ବାମରାରେ ପହଞ୍ଚିଲାବେଳକୁ ପୁଲିସ ଯାଇ ବରଗାଡ଼ିରୁ ବିଷ୍ଣୁକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି ।