୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :-> ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ଓ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଖ୍ୟାତି ଲାଭ କରିଥିବା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମନ୍ଦିରର ରୂପାନ୍ତରଣ ଓ ଏହାର ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁବିଧ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ ମା ତାରାତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଏହାର ପାଦ ଦେଶରେ ପ୍ରବାହିତ ଋଷିକୂଲ୍ୟା ନଦୀ ନିକଟରେ ଜଳ ସମ୍ପଦ ବିଭାଗ,ଓଡ଼ିଶା ପକ୍ଷରୁ ୨୬.୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଋଷିକୂଲ୍ୟା ନଦୀ ପଠା ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।
ଏହି ଉପଲକ୍ଷେ ଗୁରୁବାର ହିଞ୍ଜିଳି ଜଳ ସମ୍ପଦ ଉପବିଭାଜନ କାର୍ଯ୍ୟାଳୟ ଅନୁବିଭାଗ ଅଧିନରେ ଋଷିକୁଲ୍ୟା ନଦୀ ପଠା ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଋଷିକୂଲ୍ୟା-ବାହୁଦା-ବଂଶଧାରା ଓ ନାଗାବଳୀ ଅବବାହିକା ମୂଖ୍ୟଯନ୍ତ୍ରୀ ଇଂ ସଞ୍ଜୀବ ଦାସ ବର୍ମା ପୂଜାର୍ଚ୍ଚନା କରି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।
ଉକ୍ତ ନଦୀ ପାର୍ଶ୍ଵ ଉନ୍ନୟନ ପ୍ରକଳ୍ପ ଦ୍ବାରା ତାରାତାରିଣୀ ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ଋଷିକୂଲ୍ୟା ନଦୀ ପଠାର ଦକ୍ଷିଣ ପାର୍ଶ୍ଵ ଆଡ଼ିବନ୍ଧକୁ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ ପ୍ରତାପ କୁମାର ଶତପଥୀ, ଅଧିକ୍ଷଣ ଯନ୍ତ୍ରୀ ଇଂ ଜୟଦୀପ ପଣ୍ଡା, ସହକାରୀ ନିର୍ବାହୀ ଇଂ ଜଗନ୍ନାଥ ଦାଶ, ସହକାରୀ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଓ ଠିକାଦାର ଜ୍ଞାନେନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।