ଓଡିଶା ତାଜା ନ୍ୟୁଜ୍ (୨୯ ଜୁଲାଇ ବୁଧବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର କ୍ଷୁଦ୍ର ଜଳ ସେଚନରୁ ପିପଲପଦର ଦେଇ ଯାଇ ଥିବା ଶାଖା କେନାଲରୁ ଗତ ଜୁନ ୨୮ ତାରିଖ ଦିନ ବିଧବା ମହିଳା ମିଥିଳା ମହାନନ୍ଦ (୬୦)ଙ୍କ ଶବ ନର୍ଲା ପୋଲିସ ଦ୍ୱାରା ଉଦ୍ଧାର ଘଟଣା ଆଜକୁ ପ୍ରାୟ ଏକ ମାସ ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ ଘେରରେ ରହିଥିବାରୁ ପରିବାର ଲୋକେ ମର୍ମାହତ ହେବା ସହ ଗ୍ରାମର ମହିଳା ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଉକ୍ତ ମୃତ ମହିଳା ଜଣକ ନିଜ ଭାଇ ଘରେ ଆଜକୁ ୨୦ବର୍ଷ ହେବ ରହି ଆସୁଥିଲେ । ଘଟଣା ଦିନ ସକାଳେ ଭାଇ ଚାଷ ଜମିକୁ ଯାଇଥିଲେ । ହେଲେ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ କେନାଲ ଭିତରୁ ଡାଳ ପତ୍ର ଘୋଡା ଯାଇଥିବା ଅବସ୍ଥାରେ ବୃଦ୍ଧାଙ୍କ ଶବ ଦେଖି ତୁରନ୍ତ ନର୍ଲା ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ନର୍ଲା ଥାନା ନିର୍ବାହ କରୁଥିବା ଅଧିକାରୀ ଡି ଏସ ପି ଗାୟତ୍ରୀ ପଧାନ ସଦଳବଳେ ଘଟଣା ସ୍ଥଳରେ ପହଂଚି ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରିବାର ଲୋକ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ଓ ନର୍ଲା ପୋଲିସ କେସ ନଂ ୧୦୭/ ୨୮.୬.୨୦୨୦ ଦଫା ୩୦୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଏକ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସର ହାତ ଖାଲି ପଡିଛି । ଉକ୍ତ ବୃଦ୍ଧାଙ୍କ ଉତ୍ତରାଧିକାରୀ କେହି ନଥିବା ବେଳେ ତାର କାହାର ସହ ଶତ୍ରୁତା ନଥିବା ଅଭିଯୋଗ କାରି ପ୍ରକାଶ କରି ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନର୍ଲା ପୋଲିସ ଆଖି ଦୃଶିଆ ପଦକ୍ଷେପ ନେଇ ନଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଆଗାମୀ ଦିନରେ କଳାହାଣ୍ଡି ଆରକ୍ଷୀଙ୍କ ନିକଟକୁ ଯିବାକୁ ଓ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । (ରିପୋର୍ଟ-ପ୍ରଦୀପ କୁମାର ଗଉଡ)