ବିଶୁଦ୍ଧ ପାନୀୟ ଜଳ ଓ ପରିମଳ ଯୋଜନା ବିଦ୍ୟାଳୟରେ ଠପ୍

୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର  :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଲୋଧଚୁଆ ଗ୍ରାମ ପଞ୍ଚାୟତର ଅଡାଲ ଗ୍ରାମରେ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ସଂଖ୍ୟା ମିଶି ୯୫ ଜଣ ଅଟନ୍ତି। ବିଦ୍ୟାଳୟରେ ଶିକ୍ଷାର ମାନ ଉନ୍ନତ ମାନର ଥିବାରୁ ସ୍ଥାନୀୟ ଅଭିଭାବକ ମାନେ ଏହି ବିଦ୍ୟାଳୟରେ ନିଜର ପିଲାମାନଙ୍କୁ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରି ଥିବାର ଜଣାଯାଏ। ମାତ୍ର ବିଡ଼ମ୍ବନାର ବିଷୟ ଏତେ ସଂଖ୍ୟକ ପିଲା ମାନଙ୍କ ପାଇଁ ଗୋଟିଏ ମାତ୍ର ପରିସ୍ରାଗାର ଓ ଏକ ମାତ୍ର ଶୌଚ ଗୃହ ଥିବାବେଳେ ପାଇଖାନା ଟାଙ୍କି ନଥିବାରୁ ଶୌଚ ଗୃହ ଅଚଳ ହୋଇ ପଡ଼ିଛି ।

ଏକ ମାତ୍ର ନଳକୂପରୁ ପଙ୍କୁଆ ଗନ୍ଧ ଯୁକ୍ତ ପାଣି ବାହାରୁ ଥିବାରୁ ତାହା ପିଇବା ଉପଯୋଗୀ ନ ହୋଇ ମଧ୍ଯ ପିଲା ମାନେ ବ୍ୟବହାର କରନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବହୁ ବ୍ୟବସ୍ଥା କରୁଥିଲେ ବି ଏଠି ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅତି କମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ସଂଖ୍ୟା ଅନୁସାରେ ଆଉ ଚାରୋଟି ପାଇଖାନା ଗୃହର ଆବଶ୍ୟକତା ରହିଛି ବୋଲି ଗ୍ରାମ ବାସୀ ମାନେ ଦାବୀ କରନ୍ତି। ନଳକୂପରୁ ପାଣି ମୋଟର ଯୋଗେ ଉଠା ଯାଇ ଛାତ ଉପରେ ଷ୍ଟୋରେଜ କରାଯାଇ ଟ୍ୟାପ୍ ମାଧ୍ୟମରେ ଏକ୍ୱାଗାର୍ଡ ଲଗାଯାଇ ପିଲା ମାନଙ୍କୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି ।

ଏତେ ଗୁଡିଏ ପିଲା ମାନଙ୍କ ପାଇଁ ଖେଳିବାକୁ କୌଣସି ବ୍ୟବସ୍ଥା ବିଦ୍ୟାଳୟ ପରିସରରେ ନଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖେଳରେ ଦକ୍ଷତା ବୃଦ୍ଧିରେ ବାଧକ ସୃଷ୍ଠି ହେଉଛି। ବିଦ୍ୟାଳୟ ପରିସର ଟି ଆବୁଡ଼ା ଖାବୁଡ଼ା ହୋଇ ପଡ଼ି ରହିଛି। ବିଦ୍ୟାଳୟରେ ପାଚେରୀ ସମ୍ପୂର୍ଣ୍ଣ ହୋଇ ନଥିବାରୁ ପରିସର ଅସୁରକ୍ଷିତ ହୋଇ ପଡ଼ି ରହିଛି। ସାତଟି ଶ୍ରେଣୀର ପିଲା ମାନଙ୍କ ପାଇଁ ମାତ୍ର ଚାରୋଟି ଶ୍ରେଣୀ ଗ୍ରୁହ ଥିବାରୁ ଗୋଟିଏ ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି ଲେଖାଏଁ ଶ୍ରେଣୀର ପିଲାମାନେ ବସୁ ଥିବାରୁ ପାଠ ପଢ଼ାରେ ଅସୁବିଧା ସୃଷ୍ଠି ହେଇଛି ବୋଲି ଅବିଭାବକ ମହଲ ରେ ଅଶାନ୍ତି ସୃଷ୍ଟି କରିଛି। ଏଣୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଗୋଚରକୁ ନେଇ ବିଦ୍ୟାଳୟର ପାଚେରି ଓ ପାଇଖାନା ଗୃହ ତୁରନ୍ତ ନିର୍ମାଣ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।