ଓଡିଶା ତାଜା ନ୍ୟୁଜ୍ (୨୭ ଜୁଲାଇ ସୋମବାର ) ଭୁବନେଶ୍ୱର :- ମାଲକାନଗିରି ଜିଲ୍ଲାର କୋଭିଡ-19 ପରିଚାଳନା ଓ ପ୍ଲାଜମା ଦାନ କାର୍ଯ୍ୟକ୍ରମର ଦାୟିତ୍ୱ ଗ୍ରହଣ ପରେ ଆଜି ଇଲେକ୍ଟ୍ରୋ ନିସ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଭିଡିଓ କନଫରେନ୍ସ ଯୋଗେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ, ଏହି ଜିଲ୍ଲା ଅଧୀନରେ ଥିବା ବ୍ଲକ ପ୍ରଶାସନ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି I ଓକାକ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନ ଘ.11.30 ମି. ସମୟରେ ଅନୁଷ୍ଠିତ ବୈଠକରେ ବର୍ତ୍ତମାନର କୋଭିଡ- 19 ପରିଚାଳନା ସ୍ଥିତି, କରୋନା ମହାମାରୀ ଏବଂ ପ୍ଲାଜମା ଦାନ ସମ୍ପର୍କିତ ଜନ ସଚେତନତା କାର୍ଯ୍ୟକ୍ରମ, କୋଭିଡ-19 ରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ବ୍ଲକୱାରି ସବିଶେଷ ବିବରଣୀ, ଆଗାମୀ ଦିନରେ ଆସିବାକୁ ଥିବା ସମ୍ଭାବ୍ୟ ପରିସ୍ଥିତି ଓ ଆହ୍ୱାନ, ପ୍ଲାଜମା ଦାନ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଯୋଜନା ପ୍ରସ୍ତୁତି ସହ ଅନ୍ୟାନ୍ୟ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା I
ଜିଲ୍ଲାର ସମସ୍ତ ଡାକ୍ତର, ନର୍ସ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି, ଆଶା କର୍ମୀ, ପୋଲିସ ଓ ସରକାରୀ କର୍ମଚାରୀଙ୍କ ଉଦ୍ୟମ ବଳରେ ଜିଲ୍ଲାର ସଂକ୍ରମଣ ହାରକୁ ଯଥେଷ୍ଟ କମ କରିବାରେ ଆମେ ସକ୍ଷମ ହୋଇ ପାରିଛୁ ବୋଲି ମନ୍ତ୍ରୀ କହିଥିଲେ I ଏହା ସହ ଆଗାମୀ ଦିନରେ କୋଭିଡ- 19 ମହାମାରୀ ବିରୋଧରେ ଚାଲିଥିବା ଏହି ଯୁଦ୍ଧରେ ବିଜୟୀ ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ ସଫଳ କରିବା ପାଇଁ ସମସ୍ତଙ୍କ ନିଷ୍ଠାପର ଉଦ୍ୟମ ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲା ଓ ବ୍ଲକ ଅଧିକାରୀମାନଙ୍କୁ କହିଥିଲେ I କରୋନାରୁ ମୁକ୍ତ ହୋଇଥିବା ସୁସ୍ଥ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ପ୍ଲାଜମା ସଂଗ୍ରହ ପାଇଁ ରକ୍ତଦାନ କରିବାକୁ ଉତ୍ସାହିତ କରିବା ପାଇଁ ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ନିକଟ ଭବିଷ୍ୟତରେ ମନ୍ତ୍ରୀ ଶ୍ରୀ ବେହେରା ମାଲକାନଗିରି ଗସ୍ତରେ ଯାଇ କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରେର ଜିଲ୍ଲାପାଳ ଓ ସିଡିଏମଓ. ଜିଲ୍ଲାର କୋଭିଡ ପରିଚାଳନା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ଭିଡ଼ିଓ କନଫରେନ୍ସ ବୈଠକରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଜିଲ୍ଲା ଆରକ୍ଷୀ ଅଧିଧ୍ୟକ ଶ୍ରୀ ଋଷିକେଶ ଦ୍ୟାନ ଦେଓ ଖିଲାରୀ, ସିଡିଏମଓ., ଜିଲ୍ଲାର ସମସ୍ତ ତହସିଲଦାର, ସମସ୍ତ ବିଡିଓ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I