ଓଡିଶା ତାଜା ନ୍ୟୁଜ୍ (୨୭ ଜୁଲାଇ ସୋମବାର ) ହିଞ୍ଜିଳିକାଟୂ :- ସାରା ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ରାଜ୍ୟର ଅନ୍ୟାନ ଜିଲ୍ଲା ଅପେକ୍ଷା ଜନବହୁଳ ଗଞ୍ଜାମ ଜିଲ୍ଲାର ସ୍ଥିତି ଅସମ୍ଭାଳ ଆଡ଼କୁ ଗତି କରୁଛି । ରାଜ୍ୟର ସର୍ବାଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣର ଗତି ପ୍ରଖର ହୋଇ ସାଧାରଣ ଲୋକଙ୍କ ଧନଜୀବନ ଅସ୍ତବ୍ୟସ୍ତ କରି ସାରିଲାଣି । ରବିବାର ସୁଦ୍ଧା ରାଜ୍ୟରେ ୧୪୭ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ୮୨ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସୁଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଭଳି ସଙ୍କଟମୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ତୁହାକୁ ତୁହା ବୈଠକ କରାଯାଇ ସମୀକ୍ଷା କରାଯାଉଛି । ପରିସ୍ଥିତି ଉପରେ ନିୟନ୍ତ୍ରଣ ଉପରେ କରିବା ପାଇଁ ଋଣନୀତି ପ୍ରସ୍ତୁତ କରିବା ସହ ସଂକ୍ରମଣ ରୋକିବା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଗଞ୍ଜାମ ଜିଲ୍ଲାର ସ୍ଥିତି ଉଦବେଗ ଜନକ ରହିଥିବା ବେଳେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ବିଶେଷକରି ଗ୍ରାମାଂଚଳ ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିବାର ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହିଞ୍ଜିଳିକାଟୁ ଅଂଚଳରେ ବୁଧବାର ୧୦, ଗୁରୁବାର ୫, ଶୁକ୍ରବାର୨୭, ଶନିବାର ୨୭ ଓ ରବିବାର ୩୨ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସ୍ଥାନୀୟ ପୌରାଂଚଳ ଅପେକ୍ଷା ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିବା ଜଣାପଡ଼ିଛି । ଏପରି ସ୍ଥଳେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ କୋଭିଡ଼ ପରିଚାଳନା ପାଇଁ ତତ୍ପର ଓ ପ୍ରଚେଷ୍ଟା ଜାରୀ ରଖିଛନ୍ତି ।ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ବାରା ଘରକୁ ଘର ବୁଲି ୩ଟି ପର୍ଯ୍ୟାୟରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ପ୍ରଶାସନ ପକ୍ଷରୁ ପ୍ରତି ପଂଚାୟତରେ କୋଭିଡ଼ କେୟାର ହୋମ ପ୍ରସ୍ତୁତ କରାଯାଇ ପରିଚାଳନା କମିଟି ଗଠନ କରାଯାଇଛି ।
ଗ୍ରାମାଂଚଳର କିଛି ଯୁବଗୋଷ୍ଠୀ ପ୍ରଶାସନର କଟକଣାକୁ ଅବମାନନା କରି ଗାଁଛକରେ ଖଟି କରିବା ସହ ବିଭିନ୍ନ କୋଠଘରେ, ମନ୍ଦିର ପରିସରରେ ଏବଂ ଖୋଲା ପଡ଼ିଆରେ ତାସ, ଭଳି ଓ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଛି । ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ସକାଶେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଂଚାୟତକୁ କଂଟେନମେଂଟ ଓ ବଫରଜୋନ ଭାବେ ଘୋଷଣା କରିବା ସହ ଯାତାୟତକୁ ବନ୍ଦ କରିବା ସକାଶେ ଗ୍ରାମର ପ୍ରବେଶପଥରେ ବାଉଁଶବାଡ଼ କରାଯାଇଛି । ହେଲେ ଏହି ବାଉଁଶବାଡ଼ ଅମାନିଆ ଜୁଆଡ଼ି ଓ ଯୁବଗୋଷ୍ଠୀଙ୍କ ଢାଲ ହୋଇଛି । ଗ୍ରାମର ପ୍ରବେଶପଥରେ ବାଉଁଶବାଡ଼ କରାଯିବା ଫଳରେ ଗାଁ ଭିତରକୁ ପୁଲିସ ପେଟ୍ରୋଲିଂ ଗାଡ଼ି ପ୍ରବେଶ କରି ପାରୁନଥିବାରୁ ଅମାନିଆଙ୍କ ପାଇଁ ଖଟି ଓ ଜୁଆ ଓ ବିଭିନ୍ନ ଖେଳ ଖେଳିବାକୁ ସୁଯୋଗ ଆଣି ଦେଇଛି । ଏ ଦିଗରେ ସଂପୃକ୍ତ ଗ୍ରାମ ପଂଚାୟତର ସରଂପଚ ଅଯଥାରେ ଗ୍ରାମର ଯୁବଗୋଷ୍ଠୀଙ୍କ ସହ ଆକ୍ରୋଶର ଶୀକାର ହେବା ଭୟରେ ସବୁ ଜାଣି ଚୁପ୍ ରହୁଥିବା ଜଣାପଡ଼ିଛି । ଗ୍ରମାଂଚଳର କିଛି ଅମାନିଆ ଜୁଆଡ଼ି ଓ ଯୁବଗୋଷ୍ଠୀଙ୍କ ମନମାନି ଯୋଗୁଁ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇବା ସହ ଦିନକୁ ଦିନ ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଅମାନିଆ ଜୁଆଡ଼ି ଓ ଯୁବଗୋଷ୍ଠୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି । ( ରିପୋର୍ଟ –ଶେଷଦେବ ସାହୁ)