୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :- ଓଏଲଆଇସି ଅଧ୍ୟକ୍ଷଙ୍କ ଯାଜପୁର ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କାର୍ଯ୍ୟ ସମୀକ୍ଷା ସହ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା ସଫଳ ମହିଳା ଚାଷୀମାନଙ୍କୁ ସମ୍ବର୍ଦ୍ଧନା ଭୁବନେଶ୍ୱର, ତା ୧୬.୦୨.୨୦୨୪ ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଗତ ସୋମବାର ଯାଜପୁର ରୋଡ୍ ସ୍ଥିତ ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରି ଯାଜପୁର ଉପଖଣ୍ଡସ୍ତରୀୟ କାର୍ଯ୍ୟର ସମୀକ୍ଷା ସହ କ୍ଷେତ୍ର ପରିଦର୍ଶନ କରିଥିଲେ । ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନ୍ ଜରିଆରେ କାର୍ଯ୍ୟକାରୀ ହେଉଥିବା ଉପଖଣ୍ଡରେ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଏସବୁରୁ ଚାଷୀମାନେ କିପରି ଉପକୃତ ହେଉଛନ୍ତି ସେ ସଂପର୍କରେ ପଚାରି ବୁଝିଥିଲେ । ଯେଉଁସବୁ ଅଂଚଳରେ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ସେଠାକୁ ବିଭାଗୀୟ ଯନ୍ତ୍ରୀମାନେ ଗସ୍ତ କରି କୃଷକମାନଙ୍କର ସମସ୍ୟା ବୁଝି ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ ।
ବିଶେଷ କରି ପ୍ରକଳ୍ପ ପରିଚାଳନା, ରକ୍ଷଣାବେକ୍ଷଣ, ବିଦ୍ୟୁତ୍ ବିଭାଗ ସମନ୍ୱୟରେ ବିଦ୍ୟୁତ୍ ସଂଯୋଗୀକରଣ ଆବଶ୍ୟକ ଥିବା ଓଏଲଆଇସି ପ୍ରକଳ୍ପ ଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସହିତ ସମନ୍ୱୟ ରକ୍ଷା କରି କୃଷି ବିବିଧିକରଣକୁ ଗୁରୁତ୍ୱ, ଅର୍ଥକାରୀ ଫସଲ କରି କୃଷି ଉତ୍ପାଦନ ଓ କୃଷକଙ୍କ ଆୟ ବୃଦ୍ଧି କରିବାକୁ ଶ୍ରୀ ପତ୍ରୀ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଉଠାଜଳସେଚନ ମାଧ୍ୟମରେ କୃଷକମାନଙ୍କର ଆୟବୃଦ୍ଧି ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ ‘୫-ଟି’ ଉପକ୍ରମ ଆଧାରର କାର୍ଯ୍ୟକରି କୃଷକମାନଙ୍କର ଆସ୍ଥା ଭାଜନ ହେବାକୁ ସେ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ ଥିଲେ । ଯାଜପୁର ଡିଭିଜନ ନୀରିକ୍ଷଣ ବଙ୍ଗଳା(ଆଇବି) ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧିକ୍ଷଣ ଯନ୍ତ୍ରୀ ପବିତ୍ର ମୋହନ ପରିଡ଼ା, ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ (ଏସ୍ଟିମେଟର) ଭଂଜ କିଶୋର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ସାହୁ, ଦିବାକର ଘଡେଇ ଓ ପୁରୁଷୋତ୍ତମ ବିଶ୍ୱକର୍ମା ଏବଂ ଅନ୍ୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ (ସିଭିଲ ଓ ମେକାନିକାଲ) ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଗସ୍ତ ପରିପ୍ରେକ୍ଷୀରେ ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ଏହି ଡିଭିଜନ୍ ଅନ୍ତର୍ଗତ ବେରୁଦା-୧ ନଳକୂପ-ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସ୍ଥାପିତ ହୋଇଥିବା ଏହି ପ୍ରକଳ୍ପ ଦ୍ୱାରା ବେରୁଦା ଗ୍ରାମ ପର୍ଯ୍ୟାୟରେ ୨୮ ହେକ୍ଟର ସେଚାଞ୍ଚଳକୁ ଉଠା ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା କରାଯାଇପାରିଛି । ଏହି ପ୍ରକଳ୍ପରୁ ଉପକୃତ ୩୫ ଜଣ ହିତାଧିକାରୀ ପରିବାର ସେଠାରେ ୧ ହେକ୍ଟର ଜମିରେ କଲରା, ୧ ହେକ୍ଟରରେ ଧନିଆ, ୨ ହେକ୍ଟରରେ ପନିପରିବା ଓ ୧୦ ହେକ୍ଟର ରେ ଡାଲିଜାତୀୟ ଫସଲ କରି ଉପକୃତ ହେଉଛନ୍ତି । ଏହି ପ୍ରକଳ୍ପ ୨୦୨୩-୨୪ ବର୍ଷରେ ରାଜ୍ୟ ସରକାରଙ୍କ ଠାରୁ ୨ୟ ଶ୍ରେଷ୍ଠ ଉଠାଜଳସେଚନ ପ୍ରକଳ୍ପ ଭାବେ ପୁରସ୍କୃତ ହୋଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ପତ୍ରୀ ପାଣି ପଂଚାୟତର ସଫଳ ମହିଳା ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।














