ଓଡିଶା ତାଜା ନ୍ୟୁଜ୍ (୨୫ ଜୁଲାଇ ଶନିବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଂଚଳ ବେବର୍ତା ପୋଖରୀରୁ ଶନିବାର ସକାଳେ ପୁଲିସ ଜୈନିକା ବୃଦ୍ଧାଙ୍କ ମୃତ ଦେହକୁ ଉଦ୍ଧାର କରିଛି । ମୃତକା ଜଣକ ପୌରାଂଚଳ ଦେଓଘର ସାହି ବାସିନ୍ଦା ମାଗି ସାହୁ (୭୫) । ଏ ନେଇ ହିଞ୍ଜିଳି ଥାନାରେ ୧୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ପ୍ରକାଶ ଥାଉକି, ଗତ କିଛି ବର୍ଷ ପୂର୍ବେ ସମ୍ପତି ଭାଗବଂଟା ପରେ ବୃଦ୍ଧାଙ୍କ ଦୁଇ ପୁଅ ବାପା, ମା’ଙ୍କୁ କୌଣସି ପ୍ରକାର ସହାୟତା କରୁନଥିଲେ । ବାଧ୍ୟ ବାଧକତାରେ ବୃଦ୍ଧ ଦମ୍ପତି ଆଶ୍ରୟ ନପାଇ କିଛି ଦିନ ପୌର କାର୍ଯ୍ୟାଳୟ ପରିସର ମଧ୍ୟରେ ପଡ଼ି ରହିଥିଲେ ।
ପୌର ପ୍ରଶାସନ ପକ୍ଷରୁ ବୃଦ୍ଧ ଦମ୍ପତିଙ୍କୁ ପୌର କାର୍ଯ୍ୟାଳୟରୁ ହଟାଯିବା ପରେ ଦମ୍ପତି ବେବର୍ତା ପୋଖରୀ ନିକଟରେ ପୌର ପ୍ରଶାସନ ପକ୍ଷରୁ ଶୁଦ୍ଧକ୍ରିୟା କାର୍ଯ୍ୟ ସକାଶେ ନିର୍ମିତ ପ୍ରକୋଷ୍ଠ ମଧ୍ୟରେ ଆଶ୍ରୟ ନେଇଥିଲେ । ଶନିବାର ବୃଦ୍ଧା ଜଣକ ପୋଖରୀକୁ ସ୍ନାନ ଶୌଚ ପାଇଁ ପାଇଁ ଯାଇଥିବା ସମୟରେ ଅସାବଧାନବଶତଃ ଗୋଡ଼ ଖସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସଂପୃକ୍ତ ସାହିର କୌଣସି ବ୍ୟକ୍ତି ପୋଖରୀ ନିକଟକୁ ଯାଇଥିବା ବେଳେ ପୋଖରୀରେ ବୃଦ୍ଧାଙ୍କ ମୃତଦେହ ଭାସୁଥିବାର ଦେଖି ହିଞ୍ଜିଳି ପୁଲିସ ଓ ପୌର ପ୍ରଶାସନକୁ ଜଣାଇଥିଲେ । (ହିଞ୍ଜିଳିକାଟୁ ରିପୋର୍ଟ / ଶେଷଦେବ ସାହୁ)