୨୮ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :- ନିଦ୍ରାରେ ବନବିଭାଗ । ସଂଜହେଲେ ଘରମୁହାଁ ବନ କର୍ମଚାରୀ । ମୁକୁଳା ପଡୁଛି ବିଟ୍ ହାଉସ୍ । ଏହାର ସୁଯୋଗ ନେଇ ନିରୀହ ବନ୍ୟପ୍ରାଣୀଙ୍କ ରକ୍ତରେ ହୋଲି ଖେଳୁଛନ୍ତି ଶିକାରୀ । ନିୟମିତ ବ୍ୟବଧାନରେ ଦଶପଲ୍ଲା ବନାଂଚଳ ରୁ ଲଗାତାର ଭାବେ ବଜ୍ରକାପ୍ତା ଖୋଳ, ବାଘନଖ, ବାଘଛାଲ,ହରିଣଛାଲ,କୁଟୁରା ଶିଂଘ ଜବତ ହୋଇ ଆସୁଥିବା ବେଳେ ଏବେ ହାତିଦାନ୍ତ ଜବତ ହେବା ଘଟଣା ବନବିଭାଗର କାର୍ଯ୍ୟଶୈଳୀକୁ ସନ୍ଦେହ ଘେରରେ ପକାଇଛି। ଟଳରା ସେକ୍ସନର ଦୁର୍ଗାପ୍ରସାଦ ନିକଟସ୍ଥ ବିଲୁଆପଡ଼ା ଘାଟିରେ ଶିକାରୀମାନେ ଉଚ୍ଚ ଶକ୍ତି ସଂପର୍ଣ୍ଣ ବିଦ୍ୟୁତ ତାରରେ ହୁକ ପକାଇ ଏକ ଦନ୍ତୀକୁ ଶିକାର କଲେ ।
ଶିକାର ପରେ ତରବରିଆ ଭାବରେ ଟାଙ୍ଗିଆରେ ଅତି ନିର୍ମମ ଭାବେ ଦାନ୍ତକୁ ହାଣି ନେଲେ। ହାତୀ ର ମୃତଦେହ ଏକ ମାସ ପର୍ଯ୍ୟନ୍ତ ପଡିରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିଲେ ମଧ୍ୟ ବନବିଭାଗ ତାର ଟେର୍ ମଧ୍ୟ ପାଇନଥିଲା । ହାତୀଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ବନବିଭାଗ ତପୁର ନେଇଥିବା କହୁଥିଲେ ମଧ୍ୟ, ଏତେ ଦିନ ଧରି ହାତୀ ର ମୃତଦେହ ପଡି ରହିଥିବା ବେଳେ,ବନବିଭାଗ ପାଖରେ ବିଭଳି ଖବର ନଥିଲା ତାହା ଏବେ ସମସ୍ତଙ୍କୁ ବିସ୍ମିତ କରିଛି। ଏତେ କମଦିନ ମଧ୍ୟରେ ଦଶପଲ୍ଲା ବନାଂଚଳ ରୁ ଏତେ ସଂଖ୍ୟକ ବନ୍ୟପ୍ରାଣୀ ଶିକାର ପଛରେ ଦଶପଲ୍ଲା ବନାଞ୍ଚଳ ଅଧିକାରୀଙ୍କ ଭୂମିକାକୁ ନେଇ ସବୁଠି ଚର୍ଚ୍ଚା ଓ ଆଲୋଚନା ଜୋର୍ ଧରିଛି। ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁପସ୍ଥିତ ର ସୁଯୋଗ ନେଇ , ତଳିଆ କର୍ମଚାରୀ ମାନେ ଶିକାରୀଙ୍କ ସହିତ ସାଲା ସୁତୁରା ହୋଇ ଏହି ପରି ଲୋମହର୍ଷଣକାରୀ ଘଟଣା ଘଟାଉଥିବା ଅନୁମାନ କରାଯାଉଛି ।














