ଓଡିଶା ତାଜା ନ୍ୟୁଜ୍ (୨୩ ଜୁଲାଇ ଗୁରୁବାର) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ପିତଳ ଛକ ନିକଟ ଦେଇ ପ୍ରବାହିତ ମାଇନର କେନାଳରେ ଜଣେ ଯୁବକ ଭାସିଯାଇଥିଲେ । ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀର ୪ ଘଂଟା କସରତ ପରେ ଯୁବକଙ୍କ ମୃତଦେହ କେନାଳ ନିକଟସ୍ଥ ଏକ ବିଲ ମଧ୍ୟରୁ ଉଦ୍ଧାର କରାଯାଇଛି । ମୃତକ ଜଣକ ସ୍ଥାନୀୟ ଥାନା ରାମଚନ୍ଦ୍ରପୁର ଗ୍ରାମର କୌଳାଶ ମହାରଣା (୩୦) । ଏ ନେଇ ହିଞ୍ଜିଳି ଥାନାରେ ୧୪ / ୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ଯୁବକ କୌଳାଶ ଗୁରୁବାର ସକାଳ ପ୍ରାୟ ସାଢେ ୭ଟାରେ ଗ୍ରାମ ନିକଟସ୍ଥ ପିତଳ ଚାଷ ଜମିକୁ ଯାଇଥିଲେ । ନିକଟସ୍ଥ ମାଇନର କେନାଳକୁ ଶେଚ ସକାଶେ ଯାଇଥିବା ବେଳେ ଅସାବଧାନ ବଶତଃ କେନାଳରେ ଭାସି ଯାଇଥିଲେ । କେନାଳ ନିକଟରେ ଯୁବକଙ୍କ ଜୋତା ଓ ଗାମୁଛା ପଡ଼ିଥିବା ଦେଖି ଏବଂ କେନାଳରେ ଭାସି ଯାଇଥିବା ସନ୍ଦେହ କରି ସ୍ଥାନୀୟ ଗ୍ରାମବାସୀ ହିଞ୍ଜିଳିକାଟୁ ଅଗ୍ନିାମ ବାହିନୀକୁ ଖବର ଦେଇଥିଲେ ।
ଅଗ୍ନିଶମ ବାହିନୀ କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଦୀର୍ଘ ୪ଘଂଟା ଖୋଜାଖୋଜି କରିବା ପରେ କେନାଳ ନିକଟସ୍ଥ ଏକ ବିଲ ମଧ୍ୟରେ ସଂପୃକ୍ତ ଯୁବକଙ୍କ ମୃତ ଦେହ ପଡ଼ି ଥିବାର ଦେଖିବାକୁ ପାଇଥିଲେ ।କେନାଳର ନାଳ ଦେଇ ଯୁବକଙ୍କ ମୃତଦେହ ବିଲରେ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ମୃତଦେହକୁ ଜବତ କରିଛି । (ରିପୋର୍ଟ- ଶେଷଦେବ ସାହୁ)