ହିଞ୍ଜିଳିକାଟୁରେ କରେନା ପରିଚାଳନା ଓ ଅଭିଯୋଗର ସମୀକ୍ଷା କଲେ ଜିଲ୍ଲାପାଳ – ହିଞ୍ଜିଳିକାଟୁ,

ଓଡିଶା ତାଜା ନ୍ୟୁଜ୍ (୨୨ ଜୁଲାଇ ବୁଧବାର) ହିଞ୍ଜିଳିକାଟୁ :- ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ଖେଳାଇ ଦେଇଛି । ରାଜ୍ୟର ସର୍ବଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ମଙ୍ଗଳବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୬୩୬୨ ସଂକ୍ରମିତଙ୍କ ମଧ୍ୟରୁ ୪୦୦୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨୮୭ ଚିକିତ୍ସାଧିନ ରହିଛନ୍ତି ଓ ୬୨ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ଭିନ୍ନଛବି ଅନୁଧ୍ୟାନ କରି ସ୍ୱତନ୍ତ୍ର ଋଣନୀତି ପ୍ରସ୍ତୁତ କରାଯାଇଛି । ପରିସ୍ଥିତି ଅଣାୟତ ହେବା ସମୀକ୍ଷା କରି ମୁକାବିଲା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ କୋଟି ଟଙ୍କାର ଆର୍ଥୀକ ପ୍ୟାକେଜ ମଞ୍ଜୁର କରିଛନ୍ତି । କରୋନା ହଟସ୍ପଟ ଭାବେ ଫୋକସରେ ଥିବା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳର ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରିବା ସକାଶେ ବହୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ସ୍ଥାନୀୟ ଅଂଚଳକୁ ଘନ ଘନ ଗ୍ରସ୍ତରେ ଆସୁଥିବାର ଦେଖିବାକୁ ମିଳିଛି ।

ସେମାବାର ସ୍ୱତନ୍ତ୍ର ଏଡ଼ିଏମ ପାରୁଲ ଫଟ୍ଟୱାରୀ, ମଙ୍ଗଳବାର ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜଶ କୁମାର ରାୟ ହିଞ୍ଜିଳି ଗ୍ରସ୍ତରେ ଆସି କରୋନାର ସମୀକ୍ଷା କରିବା ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ କରୋନାର ସ୍ଥିତି ସମୀକ୍ଷା କରିବା ସହ ଆଇସୋଲେସନ କେନ୍ଦ୍ର ବୁଲି ଦେଖିବା ସହ ସଂକ୍ରମିତଙ୍କୁ ମାଗଣା କରେନା କିଟ୍ ଓ ଔଷଧ ପ୍ରଦାନ କରିଥିଲେ । ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତ କରି ବହୁ ଜନପ୍ରତିନିଧିଙ୍କ ସହିତ ପଂଚାୟତରେ କୋଭିଡ଼ ପରିଚାଳନା ଏବଂ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଗ୍ରାମାଂଚଳରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ଘୃଣା ଭାବ ପ୍ରଦର୍ଶନ ନକରି ମାନବିକତା ଓ ସେମାନଙ୍କ ମନରେ ଧୌର୍ଯ୍ୟ, ଆଶ୍ୱସନା ଓ ସାହସ ପ୍ରଦାନ କରି ଆରୋଗ୍ୟ ଲାଭ ସକାଶେ ମନବୋଳ ବୃଦ୍ଧି କରିବା ପାଇଁ ଜନ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । କୋଭିଡ଼ କେୟାର ହୋମରେ ରହୁଥିବା ଆକ୍ରାନ୍ତଙ୍କ ସକାଶେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ସେମାନଙ୍କ ଭୋଜନ ସକାଶେ ଦୈନିକ ୨୪୦ ଟଙ୍କାର ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି ଏବଂ କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବଦାହ ସକାଶେ ରାଜ୍ୟ ସରକାର ୭ ହଜାର ୫ଶହ ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । ପଂଚାୟତ ସ୍ତରରେ କୋଭିଡ଼ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ସକାଶେ ସ୍ୱାସ୍ଥ୍ୟ କର୍ମଚାରୀ ,ଆଶା, ଅଙ୍ଗନୱାଡି ଓ ଜନ ପ୍ରତିନିଧିଙ୍କ ସହଯୋଗ ସମ୍ବନୟ ରକ୍ଷା କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଥିଲେ ।

କରୋନାର ମୁକାବିଲା ସକାଶେ ନିୟୋଜିତ ଥିବା କିଛି ସ୍ୱାସ୍ଥ୍ୟ କର୍ମଚାରୀ, ଆଶା, ଅଙ୍ଗନୱାଡ଼ି କର୍ମୀ ନିଜ କର୍ତବ୍ୟ ପ୍ରତି ଅବହେଳା ଓ ଅନୁପସ୍ଥିତ ଓ କୋଭିଡ଼ କେୟାର ହୋମ ଗୁଡ଼ିକରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ନେଇ କିଛି ପଂଚାୟତର ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି । ବିଭିନ୍ନ କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ମାନେ ଅନୁପସ୍ଥିତ ରହୁଥିବା ଅଭିଯୋଗ ପାଇବା ପରେ ଏହାର ତାଲିକା ପ୍ରସ୍ତୁତ କରି ରିପୋର୍ଟ ପ୍ରଦାନ କରିବାକୁ ସ୍ଥାନୀୟ ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କୁ ଛୁଟିରେ ରହିଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ କହିବା ସହ କୋଭିଡ଼ କେୟାର କେନ୍ଦ୍ର ପରିଦର୍ଶନ କରିଥିଲେ । କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ଯେପରି କୌଣସି ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦିଶ ଷଡ଼ଙ୍ଗୀ, ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଚିିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନଙ୍କ ସମେତ ବହୁ ସରଂପଚ, ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)