୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବାଣପୁର ଏନଏସି କୁ ଓଡ଼ିଶା ହାଇକୋର୍ଟଙ୍କ ଛାଟ l ବିନା ଡ୍ରେନେଜ ବ୍ୟବସ୍ଥାରେ ପେଭର ବ୍ଲକ ରୋଡ ନିର୍ମାଣ କରିବା ପଡ଼ିଲା ମହଙ୍ଗା l ସୀମିତ ସମୟସୀମା ମଧ୍ୟରେ ଆବେଦନକାରୀଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦେଲେ ହାଇକୋର୍ଟ l ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ର ୱାର୍ଡ ୧୦ ରେ ଗତ ବର୍ଷ ସେପ୍ଟେମ୍ବର ମାସରେ ପେଭର ବ୍ଲକ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା l

ତେବେ ଉକ୍ତ ୱାର୍ଡର ଏକାଧିକ ଘର ତଳିଆ ଅଞ୍ଚଳରେ ରହିଥିବା ବେଳେ ବିନା ଡ୍ରେନେଜ ବ୍ୟବସ୍ଥାରେ ପୁରୁଣା କଂକ୍ରିଟ ରୋଡ ଉପରେ ପେଭର ବ୍ଲକ ରୋଡ ନିର୍ମାଣ କରାଯାଇଥିଲା l ଫଳରେ ଉକ୍ତ ୱାର୍ଡର ବାସିନ୍ଦା ଜନୈକ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ସମେତ ଏକାଧିକ ବାସିନ୍ଦାଙ୍କ ଘରେ ବର୍ଷାଜଳ ପ୍ରବେଶ କରିଥିଲା l ତେବେ ଏ ନେଇ ଆଇନଜୀବୀ ଶ୍ରୀ ଅଗ୍ରୱାଲ ବାଣପୁର ଏନଏସି କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ନଗର ଉନ୍ନୟନ ବିଭାଗକୁ ଉକ୍ତ ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ କରିଥିଲେ l

କିନ୍ତୁ ବାରମ୍ବାର ଅଭିଯୋଗ ସତ୍ବେ ଏନଏସି ପ୍ରଶାସନ ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ କରିବା ଦିଗରେ ବିଫଳ ହେବାରୁ ବାଧ୍ୟହୋଇ ଗତ ବର୍ଷ ଡିସେମ୍ବର ୨୦ ତାରିଖରେ ଆଇନଜୀବି ସୀତାରାମ ଅଗ୍ରୱାଲ ଏ ନେଇ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ରିଟ ପିଟିସନ ଦାଖଲ କରିଥିଲେ l
ଚଳିତ ମାସ ୯ ତାରିଖରେ ଉକ୍ତ ରିଟ ପିଟିସନର ଶୁଣାଣି କରି ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ବିଭୁ ପ୍ରସାଦ ରାଉତରାୟ ୩ ମାସ ମଧ୍ୟରେ ଆଇନ ଅନୁଯାୟୀ ଆବେଦନକାରୀଙ୍କ ସମସ୍ୟାର ସମାଧାନ କରିବାକୁ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣିଙ୍କୁ ନିର୍ଦେଶ ଦେଇଛନ୍ତି l ଆବେଦନକାରୀଙ୍କ ପକ୍ଷରୁ ଉକ୍ତ ମାମଲାକୁ ବରିଷ୍ଠ ଆଇନଜୀବୀ ଜୟଦେବ ବେହେରା ଓ ସନ୍ଦୀପ କୁମାର ମହାପାତ୍ର ପରିଚାଳନା କରୁଥିଲେ l














