୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ସହଭାଗିତାର ଅବସର ଅନୁସନ୍ଧାନ ଉଦ୍ଦେଶ୍ୟରେ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଜାନୁୟାରୀ ୫ ତାରିଖରେ ୩ଟି ବିଦେଶୀ ବିଶ୍ଵବିଦ୍ୟାଳୟ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଆଇଆଇଟି ଭୁବନେଶ୍ୱର, ବୁଲଗେରିଆର ପ୍ଲୋଭଡିଭ୍ ୟୁନିଭର୍ସିଟି “ପାଇସି ହ୍ୱିଳେନ୍ଦ୍ରସକୀ” “Paisii Hilendarski” ଏବଂ ବାଂଲାଦେଶ ସ୍ଥିତ ବାଂଲାଦେଶ ୟୁନିଭର୍ସିଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ଓ ଜାହାଙ୍ଗୀର ନଗର ବିଶ୍ୱବିଦ୍ୟାଳୟ ସହିତ ଏମଓୟୁ ସ୍ୱାକ୍ଷର କରିଛି ।

ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କର୍ମଲକର ଏବଂ ପ୍ଲୋଭଡିଭ୍ ୟୁନିଭର୍ସିଟିର ପ୍ରଫେସର ରୁମେନ ମ୍ଲାନ୍ଦେନଭ ରେକ୍ଟର ପ୍ଲୋଭଡିଭ୍ ୟୁନିଭର୍ସିଟି “ପାଏସି ହିଲେନ୍ଦ୍ରସକୀ” ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲେ। ଆଇଆଇଟି ଭୁବନେଶ୍ଵରର ଡିନ୍(ଆଲୁମିନି ଆଫେୟାର୍ସ ଓ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧ) ପ୍ରଫେସର ପ୍ରଶାନ୍ତ କୁମାର ସାହୁ ବାଂଲାଦେଶ ୟୁନିଭର୍ସିଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ଏବଂ ଜାହାଙ୍ଗୀର ନଗର ବିଶ୍ୱବିଦ୍ୟାଳୟ ସହିତ ବୁଝାମଣାପତ୍ର ସ୍ଵାକ୍ଷର କରିଥଲେ।

ବାଂଲାଦେଶ ୟୁନିଭର୍ସିଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ପକ୍ଷରୁ ପ୍ରଫେସର ମହମ୍ମଦ ଜାରେଜ ମିୟା ଓ ଜାହାଙ୍ଗୀର ନଗର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର୍ ଏମ୍.ଶମିମ କାଇଜର ପ୍ରତିନିଧିତ୍ଵ କରିଥିଲେ । ଆଇଆଇଟି ଭୁବନେଶ୍ୱର ଏବଂ ବିଦେଶୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ୱାକ୍ଷରିତ ଏହି ତିନୋଟି ବୁଝାମଣା ପତ୍ର ବିଭିନ୍ନ ମିଳିତ ପ୍ରକଳ୍ପ ଏବଂ ପ୍ରାଧ୍ୟାପକ ବିନିମୟ ମାଧ୍ୟମରେ ଏକାଡେମିକ୍ସ ଏବଂ ଅନୁସନ୍ଧାନରେ ଏକ ସହଯୋଗୀ ସମ୍ପର୍କର ବିକାଶ ପାଇଁ ଲକ୍ଷ୍ୟ ରଖିଛି।

ୟୁକେ, ବୁଲଗେରିଆ, ବାଂଲାଦେଶ, ଲାଟଭିଆ, ବେଲଜିଅମ, ତୁର୍କୀ ଏବଂ ଭାରତର ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ପ୍ରତିଷ୍ଠାନରୁ ପ୍ରାୟ ୪୦ ଜଣ ପ୍ରତିନିଧି ଆଇଆଇଟି ଭୁବନେଶ୍ୱରକୁ ଗସ୍ତ ଅବସରରେ ପ୍ରତିଷ୍ଠାନର ଡିନ୍ ଓ ଅଧ୍ୟାପକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ଗୁଡିକ ସ୍ୱାକ୍ଷରିତ ହୋଇଥିଲା।














