୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡଗାଁ :-> ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଗିରିଡିପଲ୍ଲୀ ପଞ୍ଚାୟତ ଝାଡ଼ସାହି ଗ୍ରାମରେ ଚୁଡ଼ି ବିକିବା ନାଁରେ ସୁନାମାଳି ଲୁଟ କରିବା ଘଟଣାରେ ଓଡ଼ଗାଁ ପୁଲିସ ୪ ଜଣ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ଗିରଫ ମହିଳା ଛତଶଗଡ଼ ରାଜ୍ୟ ଦେବତ୍ରିକା ଗାଁର ସରିତା ଗିରି,ଶ୍ରୀମତୀ ସଞ୍ଜୁ,ପୂଜା ଗିରି ଓ ବାଗାଡି ଗ୍ରାମର ମଞ୍ଜୁ ବାଇ ।

ସୂଚନା ଅନୁଯାୟୀ ସୁଦୂର ଛତିଶଗଡରୁ କିଛି ମହିଳା ଓଡ଼ଗାଁ ଅଞ୍ଚଳରେ ରହି ଚୁଡ଼ି ବ୍ୟବସାୟ କରିବା ସହିତ ମହିଳାମାନଙ୍କୁ ସୁନାମାଳି ଗୁନ୍ଥିବାକୁ ପ୍ରବର୍ତାଉଥିଲେ। ଗୁରୁବାର ଝାଡସାହି ଗାଁର ସୁକାନ୍ତି ପ୍ରଧାନ ଓ ଆଉ କିଛି ମହିଳା ଚୁଡ଼ି ବ୍ୟବସାୟୀ ମହିଳାଙ୍କୁ ସୁନାମାଳି ଗୁନ୍ଥିବାକୁ ଦେଇ ଜଗି ବସିଥିବାବେଳେ ସେମାନଙ୍କ ଆଖି ଆଗରେ ସୁନାମାଳିକୁ ଲୁଚାଇ ଅନ୍ୟ ଏକ ନକଲି ସୁନାମାଳି ଦେଇଥିଲେ ।

ଯାହାକୁ ସ୍ଥାନୀୟ ମହିଳାମାନେ ଦେଖୁ ନେବା ସହ ସମ୍ପୃକ୍ତ ମହିଳାଙ୍କୁ କାବୁ କରି ପୁଲିସ ହେପାଜତରେ ଦେଇଥିଲେ।ପୁଲିସ ସୁକାନ୍ତି ପ୍ରଧାନଙ୍କ ଅଭିଯୋଗକୁ ଆଧାର କରି ୨/୨୪ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଓ ଲୁଟ ଘଟଣାରେ ସମ୍ପୃକ୍ତ ୪ ମହିଳାଙ୍କୁ ଗିରଫ କରିଥିଲେ।














