ଓଡିଶା ତାଜା ନ୍ୟୁଜ୍ (୨୦ ଜୁଲାଇ ସୋମବାର) ହିଞ୍ଜିଳି କାଟୁ :- ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଉତ୍କଟ ସମସ୍ୟା ସୃଷ୍ଟି କରିଛି । ଜିଲ୍ଲାରେ ବିସ୍ଫୋରଜ ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି । ଗତ ୧୬ ତାରିଖ ରାତ୍ର ୯ଘଣ୍ଟା ପରଠାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ମହାନଗର ନିଗମ ରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଆଶାତୀତ ଭାବେ ଶୀର୍ଷ ସ୍ଥାନ ଛୁଉଁଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୫୨ ଜଣ ସଂକ୍ରମିତ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।
ଏଣେ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ସ୍ଥାନୀୟ ହିଞ୍ଜିଳି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ପଞ୍ଚାୟତ ସ୍ତରରେ ସଚେତନ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି । ବିଡିଓ ପ୍ରସନ୍ନ କୁମାର ପାତ୍ର ଗଣ୍ଡଳା, ବେଲଗାଁ ,ଡ଼ି ପାଟପୁର ଏବଂ ଭାବନ୍ଧ ପଞ୍ଚାୟତ ରେ ଡ଼ାକବାଜି ଯନ୍ତ୍ର ଯୋଗେ କରୋନା ଭୁତଣୁର ଭୟାବହତା ଏବଂ କିଛି ଲକ୍ଷଣ ପ୍ରକାଶ ପାଇଲେ ରୋଗକୁ ନ ଲୁଚାଇ ପ୍ରଶାସନ କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଗ୍ରାମର ପୋଖରୀରେ ଗାଧୋଇବାକୁ ବାରଣ କରିବା ସହ ମାସ୍କ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ନିବେଦନ କରିଥିଲେ ।
କୌଣସି ପ୍ରକାର ଭୟ ନ କରି ସ୍ୱାସ୍ଥ୍ୟ ସମସ୍ୟା ଦେଖାଗଲେ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ସହ ଆଲୋଚନା କରି ରୋଗ ମୁକ୍ତ ହେବା ପାଇଁ ପ୍ରବର୍ତ୍ତାଇ ସଚେତନ କରିଥିଲେ । ପରେ ଭ୍ରାମ୍ୟମାଣ ସ୍ୱାବ ପରୀକ୍ଷଣ ଗାଡି ଜରିଆରେ ଭାବନ୍ଧ ଗ୍ରାମର ୧୭ ଜଣ ଚିହ୍ନଟଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ପରୀକ୍ଷା ପରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ କହିଛନ୍ତି । କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଜାରୀ ରହିଛି । ଏଭଳି ସ୍ଥିତିରେ ରୋଗ ଏବଂ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶାସନ ସର୍ବଦା ପ୍ରସ୍ତୁତ ରହିଛି ବୋଲି ବିଡ଼ିଓ ଗ୍ରାମବାସୀଙ୍କ ସହଯୋଗ କାମନା କରିଛନ୍ତି । (ଶେଷଦେବ ସାହୁ)