୨୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏହାର ସାମାଜିକ ଉତ୍ତର ଦାୟିତ୍ୱ କ୍ରମେ ପ୍ରତିଷ୍ଠାନର କ୍ୟାମ୍ପସ ପରିସରରେ କାର୍ଯ୍ୟରତ ତଥା ବାସ କରୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଏକ ସାକ୍ଷରତା କାର୍ଯ୍ୟକ୍ରମର ପରିଚାଳନା କରୁଛି । ଆଇଆଇଟି ଭୁବନେଶ୍ୱରର କିଛି ଅଧ୍ୟାପକବୃନ୍ଦ, କର୍ମଚାରୀ ତଥା ସ୍ୱେଚ୍ଛାସେବୀ ଛାତ୍ର,ଛାତ୍ରୀମାନଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ସାକ୍ଷରତା କାର୍ଯ୍ୟକ୍ରମଟି ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ,ଏହି ପିଲାମାନେ ବର୍ତ୍ତମାନ ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷା ଲାଭର ସୁଯୋଗ ପାଇଛନ୍ତି। ଏହି ପିଲାମାନଙ୍କୁ ମୌଳିକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଶ୍ରମିକମାନେ ଆସି ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ ଭିତରେ ଚାଲୁଥିବା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ପ୍ରବାସୀ ଶ୍ରମିକମାନେ ସେମାନଙ୍କ ପରିବାର ସହ ପ୍ରତିଷ୍ଠାନର କ୍ୟାମ୍ପସ ଭିତରେ ହିଁ ବସବାସ କରୁଛନ୍ତି। ପରିବାରର ସ୍ଥାନାନ୍ତରଣ ଯୋଗୁଁ ସେମାନଙ୍କ ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି।ଏହି ସାକ୍ଷରତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦ୍ୟାଳୟ ଶିକ୍ଷା ବାଧାପ୍ରାପ୍ତ ହୋଇଥିବା ଛାତ୍ର,ଛାତ୍ରୀଙ୍କ ଆନୁଷ୍ଠାନିକ ଶିକ୍ଷାଲାଭ ପୁଣି ଆରମ୍ଭ କରିବା ଏବଂ ଏପର୍ଯ୍ୟନ୍ତ ବିଦ୍ୟାଳୟକୁ ଯାଇ ନଥିବା ଶିଶୁମାନଙ୍କୁ ମୌଳିକ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିବା। ଏହି କ୍ରମରେ, ଆଇଆଇଟି ଭୁବନେଶ୍ୱରର ସିଏସଆର ସେଲ ଅନୁକୁଲ୍ୟରେ ଏବଂ ଉନ୍ନତ ଭାରତ ଅଭିଯାନ (ୟୁବିଏ)ର ଉଦ୍ୟମରେ ଏହି ପିଲାମାନଙ୍କ ପାଇଁ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଆଇଆଇଟି ଭୁବନେଶ୍ୱରର କର୍ପୋରେଟ ସୋସିଆଲ ରେସ୍ପୋନ୍ସିବିଲିଟି (ସିଏସଆର) ବିଭାଗର ପ୍ରାଧ୍ୟାପକ ପ୍ରଭାରୀ ଡକ୍ଟର ନରେଶ ଚନ୍ଦ୍ର ସାହୁ ଏବଂ ୟୁବିଏର ସଂଯୋଜିକା ଡକ୍ଟର ସୀମା ବାହିନୀପତିଙ୍କ ନେତୃତ୍ୱରେ ପ୍ରତିଷ୍ଠାନର ଅଧ୍ୟାପକ ଓ ଛାତ୍ର,ଛାତ୍ରୀ ମାନେ ଏହି ପ୍ରବାସୀ ପିଲା ଓ ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ଏହି ପଦକ୍ଷେପରେ ସାମିଲ ହେବାକୁ ପ୍ରୋତ୍ସାହିତ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ, ଏହି ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପିଲାମାନଙ୍କୁ ପ୍ରତିଷ୍ଠାନର କେନ୍ଦ୍ରୀୟ ଲାଇବ୍ରେରୀରେ ମୌଳିକ ଶିକ୍ଷା ପ୍ରଦାନ କରାଯାଇଥିଲା। ସେମାନଙ୍କୁ ବହି, ସ୍କୁଲ ବ୍ୟାଗ ଓ ଅନ୍ୟ ଷ୍ଟେସନାରୀ ପ୍ରଦାନ କରାଯାଇଥିଲା। ନିରନ୍ତର ପ୍ରୟାସ ଫଳରେ ୧୬ ଜଣ ଛାତ୍ର,ଛାତ୍ରୀଙ୍କୁ ନିକଟରେ ପୋଡପଡା ଅଙ୍ଗନବାଡି ଓ ପୋଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖା ଯାଇଥିବା ଆଇଆଇଟି ସୂତ୍ରରୁ ଜଣାପଡିଛି l