ଯେଉଁ ପଞ୍ଚାୟତରେ ମହିଳା ସରପଞ୍ଚଙ୍କ ସ୍ବାମୀ, ବାପା, ଦିଅର, ପୁଅ କିମ୍ବା ଅନ୍ୟ ସଂପର୍କୀୟ ରାଜ କରୁଛନ୍ତି ସେମାନଙ୍କୁ ଚିହ୍ନଟ କର । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରିବ ବୋଲି କୁହାଯାଇଛି ।
୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ମହିଳା ସରପଞ୍ଚ ସାବଧାନ : ଆପଣଙ୍କ ସଂପର୍କୀୟ ଆପଣଙ୍କ ନାମରେ ଆଉ କରିପାରିବେନି ଶାସନ ଏଣିକି ମହିଳା ସରପଞ୍ଚଙ୍କ ନାମରେ ତାଙ୍କ ସଂପର୍କୀୟଙ୍କ ଶାସନ ଚଳିବ ନାହିଁ । ଏ ନେଇ ଜିଲ୍ଲାପାଳମାନେ ତଦାରଖ କରିବେ ବୋଲି ରାଜ୍ୟ ସରକାର ରୋକଠୋକ ଜଣାଇ ଦେଇଛନ୍ତି । ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବ ସୁଶୀଲ ଲୋହାନୀ ସବୁ ଜିଲ୍ଲାପାଳଙ୍କୁ ଚିଠି କରି ଏ ନେଇ ତାଗଦ କରିଛନ୍ତି । ଏହି ଚିଠିରେ କୁହାଯାଇଛି ଯେ, ଯେଉଁ ପଞ୍ଚାୟତରେ ମହିଳା ସରପଞ୍ଚଙ୍କ ସ୍ବାମୀ, ବାପା, ଦିଅର, ପୁଅ କିମ୍ବା ଅନ୍ୟ ସଂପର୍କୀୟ ରାଜ କରୁଛନ୍ତି ସେମାନଙ୍କୁ ଚିହ୍ନଟ କର ।
ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରିବ ବୋଲି କୁହାଯାଇଛି । ତାଙ୍କ ବିରୋଧରେ ଫୌଜଦାରୀ ମାମଲ ଋଜୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜଣେ ସରପଞ୍ଚ ଭାବେ ନିର୍ବାଚିତ ହେବ, ଆଉ ଜଣେ ଶାସନ କରିବା କାର୍ଯ୍ୟ ଚଳିବ ନାହିଁ ବୋଲି କୁହାଯାଇଛି । ସାଧାରଣତଃ ଯେଉଁଠି ମହିଳା ସରପଞ୍ଚ ଅଛନ୍ତି ସେଠାରେ ସେ ଘରୁ ନ ଯାଇ ତାଙ୍କର ସଂପର୍କୀୟମାନେ ପଞ୍ଚାୟତ ଅଫିସ ଯାଇ ସବୁକଥା ବୁଝୁଛନ୍ତି ।
ଏପରିକି ପଞ୍ଚାୟତ ବୈଠକ ମଧ୍ୟ ସେମାନେ କରୁଛନ୍ତି। ସରପଞ୍ଚ କେବଳ ଦସ୍ତଖତ କରିବା ଛଡା ଅନ୍ୟ କୌଣସି କାର୍ଯ୍ୟ କରନ୍ତି ନାହିଁ । ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତ୍ତମାନ ପଞ୍ଚାୟତ ସ୍ତରରେ 50 ପ୍ରତିଶତ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ କରାଯାଇଛି । ଫଳରେ ରାଜ୍ୟର ମୋଟ ପଞ୍ଚାୟତ ମଧ୍ୟରୁ 50 ପ୍ରତିଶତ ମହିଳା ସରପଞ୍ଚ ଅଛନ୍ତି । ଏପରି କରିବାର ଅର୍ଥ ହେଲା ଯେ, ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ହାତରେ ଶାସନ ଭାର ଦେବା । ହେଲେ ତାହା କେବଳ କାଗଜପତ୍ରରେ ରହୁଥିବାରୁ ପଞ୍ଚାୟତିରାଜ ବିଭାଗ ଏହି କଡା ପଦକ୍ଷେପ ଗ୍ରହଣ କରୁଛି ।