୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଦ୍ଵାରା ନିର୍ଦ୍ଦେଶିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ନୂଆ ଓଡ଼ିଶା ଆଧାରରେ ଯୁବ ଗୋଷ୍ଠୀ ଙ୍କୁ କ୍ରୀଡ଼ା, ସାଂସ୍କୃତିକ ତଥା ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ ଓ
ପ୍ରଶିକ୍ଷିତ କରିବା ସହ ଏକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ବ୍ରତୀ କରାଇବା ପାଇଁ ଅଭିଯାନ କ୍ରମରେ ସୋମବାର ସ୍ବଚ୍ଛତା ଅଭିଯାନ ଶୋଭାଯାତ୍ରା ଏବଂ ଜୀବନ ଉପଯୋଗୀ ଯୋଗ ତାଲିମ ଶିବିର ସଫଳତା ର ସହିତ ଆୟୋଜନ ହୋଇଯାଇଛି . ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ତଥା ସମ୍ପାଦିକା ଶ୍ରୀମତୀ ରଶ୍ମିତା ମହାନ୍ତି ଙ୍କ ନେତୃତ୍ବରେ ଦିବାଧ୍ୟାୟୀ ଛାତ୍ରୀମାନେ ଅନୁଷ୍ଠାନ ପରିସର ସଫେଇ କରିବା ପରେ ଏକ ସଚେତନତା ଶୋଭାଯାତ୍ରାରେ
ନଗର ପରିକ୍ରମା ପୂର୍ବକ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଣପୁର ପ୍ରମୋଦ ଉଦ୍ୟାନ ରେ ପହଞ୍ଚି ସେଠାରେ ଅନୁରୂପ ସଫେଇ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ ଏବଂ ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଯୁଗନିର୍ମାଣ ଯୋଜନାର ଯୋଗଗୁରୁ ତ୍ରିନାଥ ସାହୁ,
ଚାନ୍ଦପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଚିକିତ୍ସକ ଡ଼ା ସାଗର କୁମାର ହାତୀ ଏବଂ ଯୋଗ ଓ ପ୍ରାକୃତିକ ଚିକିତ୍ସକ ଡ଼ା ଗୌରାଙ୍ଗ ଚରଣ ରାଉତ ସ୍ବାସ୍ଥ୍ୟ ସୁରକ୍ଷାରେ ଯୋଗ-ପ୍ରାଣାୟାମର ଉପାଦେୟତା ଉପରେ ଆଲୋକପାତ କରିବା ସହ କେତେକ ଉପଯୋଗୀ ଆସନରେ ଅଭ୍ୟାସ କରାଇଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସୁଚିତ୍ରା ଦାଶ, ନୋଡାଲ ଅଧିକାରୀ ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ,
ମନୋଜ ମହାପାତ୍ର,ପ୍ରଶାନ୍ତ ଦାଶ, ରୋଜାଲିନ ଦାଶ, କସ୍ତୁରୀ ପଟ୍ଟନାୟକ,ଅକୃର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଆଗାମୀ ଦିନରେ ଯୌତୁକ ପ୍ରଥା, ବାଲ୍ୟବିବାହ, ଶିଶୁ ଶ୍ରମିକ ପ୍ରଥାର ଉଛେଦ, ଅଗ୍ନି ନିରାପତ୍ତା, ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୂକ୍ତିକରଣ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଏବଂ ପରିଷ୍କାର -ପରିଛନ୍ନତା ବିଷୟରେ କାର୍ଯ୍ୟକ୍ରମ ହେବବୋଲି ସୂଚନା ମିଳିଛି ।