No Result
View All Result
୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛ ପରିବେଶ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ (ICPCCE-2023) ଉଦଘାଟିତ ହୋଇଯାଇଛି । ସ୍କୁଲ ଅଫ୍ ଇନ୍ଫ୍ରାଷ୍ଟ୍ରକ୍ଚର ଏବଂ ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ ସାଇନ୍ସେସ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ପରିବେଶ ବିଜ୍ଞାନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କର ଅନୁସନ୍ଧାନ ଏବଂ ବ୍ୟବହାରିକ ଅଭିଜ୍ଞତା ବାଣ୍ଟିବା ସହିତ ପରିବେଶ ସମସ୍ୟାର ସମାଧାନ ପାଇଁ ଅନୁସନ୍ଧାନ ଚିନ୍ତାଧାରା ଆଦାନ ପ୍ରଦାନ ପାଇଁ ଲକ୍ଷ୍ୟ ରହିଛି ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ, ସମ୍ମିଳନୀର ସଂଯୋଜକ ପ୍ରଫେସର ରାଜେଶ ରୋଶନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସମ୍ମିଳନୀ ବିଷୟରେ ବର୍ଣ୍ଣନା କରିଥିଲେ । ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ପ୍ରତିନିଧୀଙ୍କୁ ସମ୍ବୋଧିତ କରି ଏକ ସ୍ୱଚ୍ଛ ପରିବେଶ ପାଇଁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ଅନୁସନ୍ଧାନର ଆବଶ୍ୟକତା ଉପରେ କହିଥିଲେ
ଏହି ଅବସରରେ, ଆଇଆଇଟି ଖଡ଼ଗପୁରର ସିଭିଲ୍ ଇଂଜିନିୟରିଂ ବିଭାଗର ପ୍ରଫେସର ତଥା ପରିବେଶ ଇଂଜିନିୟରିଂ କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ ପ୍ରଫେସର ମକରନ୍ଦ ଏମ. ଘାଙ୍ଗରେକର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ସେ ଭାରତ ତଥା ବିଶ୍ବସ୍ତରରେ ବର୍ଜ୍ୟବସ୍ତୁ ପରିଚାଳନାର ସ୍ଥିତି ଏବଂ ପ୍ରଦୂଷଣ ପ୍ରତିରୋଧକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ଉଭୟ ଅଫଲାଇନ୍ ତଥା ଅନଲାଇନ୍ ମୋଡ୍ ମାଧ୍ୟମରେ ଆଠଟି କିନୋଟ୍ ଅଭିଭାଷଣ ସହ ୨୪ଟି ସମାନ୍ତରାଳ ଅଧିବେଶନରେ ୧୩୫ରୁ ଅଧିକ ବୈଷୟିକ ଉପସ୍ଥାପନା ହେବ।
ବୈଷୟିକ ଉପସ୍ଥାପନା ଗୁଡ଼ିକ ମୁଖ୍ୟତଃ ଚାରୋଟି ଟ୍ରାକ ଉପରେ ପର୍ଯ୍ୟବସିତ ହେବ, ଯଥା-ପରିବେଶ ନିରୀକ୍ଷଣ ଓ ପରିଚାଳନାଜଳ ପ୍ରଦୂଷଣ ନିୟନ୍ତ୍ରଣ,ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସାଧନର ଉପଯୋଗ । ପ୍ରତ୍ୟେକ ଟ୍ରାକ୍ ଅନ୍ତର୍ଗତ ଉପ-ବିଷୟବସ୍ତୁଗୁଡିକ ସାମ୍ପ୍ରତିକ ଅନୁସନ୍ଧାନ ତଥା ଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶର ଅଗ୍ରଗତି ଉପରେ ଆଧାରିତ ଯାହା ବର୍ତ୍ତମାନର ପରିବେଶ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା ପାଇଁ ବିଶ୍ବସ୍ତରରେ ଅନୁସନ୍ଧାନକାରୀଙ୍କ ପାଇଁ ଧ୍ୟାନ ଆକର୍ଷଣ କରୁଛି ।
ସମ୍ମିଳନୀର ମନୋନୀତ ପେପରଗୁଡିକ ସ୍ପ୍ରିଞ୍ଜର ଦ୍ୱାରା ଏକ ପ୍ରୋସିଡ଼ିଙ୍ଗସ ବୁକ ଭଲ୍ୟୁମ ଭାବରେ ପ୍ରକାଶିତ ହେବ । ସମ୍ମିଳନୀର ଉଦଘାଟନ ଅବସରରେ, ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟି ଦିଲ୍ଲୀର ଅବସରପ୍ରାପ୍ତ ପ୍ରଫେସର ମୁକେଶ ଖରେ ଏବଂ ଆଇଆଇଟି ଖଡ଼ଗପୁରର ପ୍ରଫେସର ବ୍ରଜେଶ ଦୁବେ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମିଳନୀର ସହ-ସଂଯୋଜକ ଡକ୍ଟର ଶଙ୍କର୍ଷଣ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ମିଳନୀର ସହ-ସଂଯୋଜିକା ଡଃ ମନସ୍ୱିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result