୧୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ବାଲୁଗାଁ :- ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା, ଶୁକ୍ଳ ପ୍ରତିପଦା ତିଥିରେ ତିନି ଦିନ ଧରି ଲୀଳା କ୍ଷେତ୍ର ବାଣପୁରର ଆରାଧ୍ୟ ଦେବ ଶ୍ରୀରଙ୍କ ନାଥଙ୍କ ପୀଠରେ ଦେବଦୀପାବଳି ଉତ୍ସବ ମହା ଆନନ୍ଦରେ ପାଳିତ ହୋଇଯାଇଛି l ଉକ୍ତ ଦିନ ଗୁଡିକରେ ପ୍ରତ୍ୟହ ଶ୍ରୀଜୀଉମାନଙ୍କର ଦୈନକ ନୀତିକାନ୍ତି ଓ ସଂଧ୍ୟା ଧୂପ ପରେ ଜୀଉମାନଙ୍କୁ ଧଳା ବସ୍ତ୍ର ପରିଧାନ କରାଇ ଶ୍ରାଦ୍ଧ ବେଶ କରାଯାଇଥିଲା। ରତ୍ନସିଂହାସନ ତଳେ ପୂଜକ ସାମନ୍ତ ଚାଉଳରେ କଦଳୀ ବୃକ୍ଷ କରିବା ପରେ ଦୀପମାନ ସ୍ଥାପନ କରାଇ ପିତୃପୁରୁଷଙ୍କୁ ପିଣ୍ଡଦାନ ପୂର୍ବକଶ୍ରାଦ୍ଧ ନୀତିକାନ୍ତି ସମାପନ କରିଥିଲେ।
ଚତୁର୍ଦ୍ଦଶୀରେ ସତ୍ୟ ଯୁଗର ମାତା ପିତା ଅଦିତି, କାଶ୍ୟପ ଅମାବାସ୍ୟାରେ ତ୍ରେତୟା ଯୁଗର ମାତା ପିତା କୌଶଲ୍ୟା, ଦଶରଥ ଏବଂ ପ୍ରତିପଦାରେ ଦ୍ଵାପର ଯୁଗର ମାତାପିତା ଦେବକୀ ବସୁଦେବ, ଯଶୋଦା, ନନ୍ଦରାଜା ଏବଂ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପଦାନ ନୀତିକାନ୍ତି ସମାପନ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପ୍ରତୀକ ଏହି ଉତ୍ସବରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦାନ କରି ମନ୍ଦିର ପରିସରରେ ସହସ୍ରାଧିକ ଦୀପ ପ୍ରଜ୍ଜୋଳନ କରି ଜୀଉମାନଙ୍କୁ ଦର୍ଶନ ପୂର୍ବକ ପୂର୍ଣ୍ୟ ଅର୍ଜନ କରିଥିଲେ।
ଏହି ଅବସରରେ ମନ୍ଦିର ପରିସର ମଧ୍ୟରେ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ଭଜନ ସମାରୋହ ଆୟୋଜିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର କାର୍ଯ୍ୟାଳୟ ତରଫରୁ ଦାଶରଥି ସାହୁ,ଦେବଦତ୍ତ ପାଣି, ବାଳମୁକୁନ୍ଦ ଦାସ, ପଦ୍ମଚରଣ ମହାପାତ୍ର, ସୋମନାଥ ହୋତା ଓ ସତ୍ୟ ମିଶ୍ର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।













