ସାଗରମାଳା ପ୍ରକଳ୍ପର ୨ୟ ରାଜ୍ୟସ୍ତରୀୟ ବୈଠକ
ଯାତ୍ରୀ ପରିବହନ ବସ ସେବା “ଲକ୍ଷ୍ମୀ” ଯୋଜନା ସଂପର୍କିତ ମାର୍ଗଦର୍ଶିକା ପୁସ୍ତକ ଉନ୍ମୋଚିତ
୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଭାରତ ସରକାରଙ୍କ ଦ୍ୱାରା ସଂପୃକ୍ତ ରାଜ୍ୟ ସରକାରମାନଙ୍କ ସହଯୋଗରେ ସାଗରମାଳା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିପାଇଁ ଜାତୀୟସ୍ତରରେ ଜାତୀୟ ସାଗରମାଳା ଆପେକ୍ସ କମିଟି ଓ ବିଭିନ୍ନ ରାଜ୍ୟରେ ରାଜ୍ୟସ୍ତରୀୟ କମିଟିମାନ ରହିଛି । ଓଡିଶାରେ ପ୍ରାୟ ୪୮୦ କି.ମି. ସୁଦୀର୍ଘ ସମୁଦ୍ର ତଟ ରହିଛି । ଏହା ମଧ୍ୟରେ ଗୋପାଳପୁର, ଧାମରା, ପାରାଦ୍ୱୀପରେ ବନ୍ଦର ରହିଛି । ସେସବୁ ସମେତ ଅନ୍ୟ ଯେଉଁଠାରେ ସୁଯୋଗ ରହିଛି, ସାଗରମାଳା ପ୍ରକଳ୍ପ ଆଧାରରେ ତାହାକୁ ଉନ୍ନତିକରଣ କରାଗଲେ ସମୁଦ୍ର ପଥରେ ଓଡିଶା ତଥା ଦେଶର ବାଣିଜ୍ୟିକ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଜ୍ୟ ଜଳ ସଂପଦ,
ବାଣିଜ୍ୟି ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରକାଶ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଓଡିଶାରେ ରାଜ୍ୟ ସ୍ତରୀୟ ସାଗରମାଳା କମିଟିର ୨ୟ ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ ଅଧ୍ୟକ୍ଷତା କରି କହିଥିଲେ ଯେ, ସାଗରମାଳା ପ୍ରକଳ୍ପ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିଭିନ୍ନ ରାଜ୍ୟରେ ରହିଥିବା ବନ୍ଦରଗୁଡିକର ଆଧୁନିକୀକରଣ ଓ ଦକ୍ଷତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବନ୍ଦର ବନ୍ଦର ମଧ୍ୟରେ ସଂଯୋଗୀକରଣ ବୃଦ୍ଧି, ବନ୍ଦରଭିତ୍ତିକ ଶିଳ୍ପର ବିକାଶ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାର ବନ୍ଦର ଅଂଚଳରେ ଲୋକମାନଙ୍କର ଗୋଷ୍ଠୀଗତ ବିକାଶ ସାଧନ ହୋଇପାରିବ ।
ତତ୍ ସହିତ ବନ୍ଦରଭିତ୍ତିକ ଜାହାଜ ଚଳାଚଳ ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ସୁଗମ ହୋଇପାରିବ ଏବଂ ସମୁଦ୍ର ତଟ ସୁରକ୍ଷା ମଧ୍ୟ ହୋଇପାରିବ । ପ୍ରକଳ୍ପରେ ରହିଥିବା ଏହି ୬ଟି ପ୍ରମୁଖ ଆଧାର ସଂପର୍କରେ ଏବଂ ରାଜ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ବିଶଦ ଭାବେ ଆଲୋକପାତ କରିଥିଲେ । ରାଜ୍ୟରେ ସାଗରମାଳା ରାଜ୍ୟସ୍ତରୀୟ କମିଟିର ପ୍ରଥମ ବୈଠକ ଗତ ୨୦୨୧ ମସିହା ଏପ୍ରିଲ ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟସ୍ତରୀୟ କମିଟିରେ ବାଣିଜ୍ୟ ଓ ପରିବହନ, ଜଳସଂପଦ, ଅର୍ଥ ବିଭାଗ, ଶକ୍ତି ବିଭାଗ, ପୂର୍ତ୍ତ ବିଭାଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଇଡକୋ, ଇପିକଲ ସମେତ ପାରାଦ୍ୱୀପ, ଗୋପାଳପୁର ବନ୍ଦର, ଧାମରା ବନ୍ଦର ଆଦିର କର୍ତ୍ତୃପକ୍ଷମାନେ ସଦସ୍ୟ ରହିଛନ୍ତି । ଏହି ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ପାଣ୍ଠି ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫୦ ପ୍ରତିଶତ ଅନୁଦାନ ଦେଉଥିବାବେଳେ ୫୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବ୍ୟବସ୍ଥା କରିବେ । ବିଭିନ୍ନ ପର୍ଯ୍ୟାୟରେ ବିନିଯୋଗ ପତ୍ର ପ୍ରଦାନ ଆଧାରରେ ଏହି ପାଣ୍ଠି ଉପଲବ୍ଧ ହେବ ।
ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାର ଚାନ୍ଦିପୁରଠାରେ ମାଛ ଧରିବା ପାଇଁ ବନ୍ଦର ନିର୍ମାଣ, ଭଦ୍ରକ ଜିଲ୍ଲାର କାଣିନାଳୀ ଓ କେନ୍ଦ୍ରାପଡା ଜିଳ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ଅଂଶରେ ଆରଓପାକ୍ସ ଜେଟି ନିର୍ମାଣ, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଠାରୁ ପୁରୀ ଜିଳ୍ଲାର କୃଷ୍ଣପ୍ରସାଦ ଗଡା ସଂଯୋଗ କରୁଥିବା ଅଂଶରେ ଆରଓପାକ୍ସ ଜେଟି, ସାତପଡା ଓ ଜହ୍ନିକୁଦା ମଧ୍ୟରେ ନୌକା ଚଳାଚଳ ସେବା ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ସାଗରମାଳା ପ୍ରକଳ୍ପରେ ଏକାଧିକ ପ୍ରକଳ୍ପ ସାମିଲ ପାଇଁ ପ୍ରସ୍ତାବ ଦେବାକୁ ସୁଯୋଗ ରହିଛି ।
ଏ ସଂପର୍କରେ ଅଧିକ ପ୍ରସ୍ତାବ ଦେବାକୁ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି । ସାଗରମାଳା ପ୍ରକଳ୍ପର ରାଜ୍ୟସ୍ତରରେ ବାଣିଜ୍ୟ ଓ ପରିବହନ ବିଭାଗ ନୋଡାଲ ବିଭାଗ ରହିଛି । ବୈଠକରେ ସଂପୃକ୍ତ ବିଭାଗ ଓ ସଂସ୍ଥାର ଅଧିକାରୀ ଓ କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଥିବା ବହୁମୁଖୀ ଯାତ୍ରୀ ପରିବହନ ବସ ସେବା “ଲକ୍ଷ୍ମୀ” ଯୋଜନା ସଂପର୍କିତ ମାର୍ଗଦର୍ଶିକା ପୁସ୍ତକ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।