No Result
View All Result
୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପୁରୀ :-> ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଥିବା କୌଣସି ପର୍ବପର୍ବାଣି କିମ୍ବା ଦୈନନ୍ଦିନ ନୀତି ଉପରେ ଭାରତ ର ଅନ୍ୟ କୌଣସି ମନ୍ଦିର ର ନିତିକାନ୍ତି ର ପ୍ରଭାବ ନଥାଏ କାରଣ ଜଗନ୍ନାଥ ଙ୍କ ନୀତି ସ୍ଵତନ୍ତ୍ର , ଯାହା ଅନ୍ୟ କୌଣସି ମନ୍ଦିର ରେ ଦେଖିବାକୁ ମିଳେନାହି। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବ ଧର୍ମ ସଂପ୍ରଦାୟ ର ସମନ୍ୱୟ ଦେବତା ।
ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସେବନରେ ଜାତି, ବର୍ଣ୍ଣର ଭେଦଭାବ ନାହିଁ । ମହାପ୍ରଭୁ ଙ୍କ ପ୍ରସାଦକୁ ମହାପ୍ରସାଦ କାହିଁକି କୁହାଯାଏ, ସେଥିନେଇ ବହୁତ ତାତ୍ତ୍ୱିକ ଅର୍ଥ ଅଛି ।
ଗୋଟିଏ ଅର୍ଥ ହେଲା ସ୍ୱାମୀ ନିଗମାନନ୍ଦଙ୍କ ଭାଷାରେ-ପରଂବ୍ରହ୍ମଙ୍କ ପୂଜାରେ ବ୍ରହ୍ମାର୍ପିତ ବସ୍ତୁ ମହାପବିତ୍ରକାରୀ ଏବଂ ବ୍ରହ୍ମ ନିବେଦିତ ବସ୍ତୁ ଭୋଜନକାଳରେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣର ବିଚାର ନଥାଏ ,ଉଚ୍ଛିଷ୍ଟ ବିଚାର ମଧ୍ୟ ନାହିଁ । ଏଥିରେ କାଳାକାଳ ବା ଶୌଚାଶୌଚର ବିଚାର ମଧ୍ୟ ନାହିଁ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଯେପରି ବିଚିତ୍ର ତାଙ୍କର ମାନବୀୟ ନୀତିକାନ୍ତି ମଧ୍ୟ ବିଚିତ୍ର,ସାଧାରଣ ରେ ବୁଝିବା ବଡ କଷ୍ଟକର ବ୍ୟାପାର। ଅନେକ ନୀତି ମଧ୍ୟରୁ ମହାପ୍ରଭୁ ଙ୍କ ବନକ ଲାଗି ନୀତି ଆଜିର ଆଲୋଚନା ବିଷୟ।
ବନକ ଲାଗି ନୀତି :-
ମୁଖ୍ୟତଃ ଏହି ନୀତି କୁ ଶ୍ରୀମୁଖ ସିଂହାର ନୀତି ଭାବେ ବିବେଚନା କାରାଯାଏ । ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକ ଲାଗି
ହୋଇଥାଏ ।
ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କଦ୍ୱାରା କରାଯାଇଥାଏ । ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ । ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି ।
ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ (ପ୍ରାୟ ତିନି ଘଣ୍ଟା ସମୟ) ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ ।
ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଆକର୍ଷିତ କରେ । ଏହି ଆକର୍ଷଣର କାରଣ ମୁହଁର ରଙ୍ଗବିନ୍ୟାସ । ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି ।
ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହେଉଥିବାରୁ, ବିଧିମତେ ଥରେ ବନକଲାଗି ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୁଏ । ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏ ନାହିଁ ।
ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ ।
ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ ଲାଲ , ଦ୍ଵୀପ ରୁ କଳା ରଙ୍ଗ ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ ।
ସମସ୍ତେ ତଥ୍ୟ ସଂଗୃହିତ।

No Result
View All Result