୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତତା ସାନଖେମୁଣ୍ଡି ବ୍ଳକ ଆଡପଡା ଗ୍ରାମର ଜଣେ ନବବଧୂଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ଆଡପଡା ପେଣ୍ଡୁରାଲୁଣ୍ଡି ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ସ୍ତ୍ରୀ ଝିଲି ପ୍ରଧାନ(୨୨) । ପରିବାର ଲୋକେ ବିଦ୍ୟୁତ ଆଘାତରେ ନବବଧୂଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସକୁ କହିଥିବା ବେଳେ ମୃତକାଙ୍କ ବାପା ସୁଦାମ ବିଷୋୟୀ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ମାଜିଷ୍ଟେଟଙ୍କ ଉପସ୍ଥିତିରେ ପୁଲିସ ମୃତଦେହକୁ ଜବତ କରିଛି ।

ପରିସ୍ଥିତିର ଗମ୍ଭୀରତାକୁ ନେଇ ଘଟଣା ସ୍ଥଳରେ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ଘଟଣାର ସରଜମିନ ତଦନ୍ତ କରି ଫେରିଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୯୦୮/୨୩ରେ ଏକ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ପ୍ରକାଶ । ପୁଲିସ ସୂଚନା ପ୍ରକାରେ, ଗତ ୨୦୨୦ମସିହା ଜୁନ ମାସରେ ହିଞ୍ଜିଳି ଥାନା ଆଡପଡା ପେଣ୍ଡୁରାଲୁଣ୍ଡି ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ସହ ପାଟପୁର ଥାନା ଏରେଣ୍ଡ୍ରା ଗ୍ରାମର ସୁଦାମ ବିଷୋୟୀଙ୍କ ଝିଅ ଝିଲି ବାହାଘର ହୋଇଥିଲା । ବାହାଘରର ୧ବର୍ଷ ପରେ ବହୁ ସମୟରେ ଶଶୁର ଘର ଲୋକେ ଝିଲିଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ମୃତକାଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି ।















