୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ରାଜ୍ୟ ସରକାରଙ୍କ ପକ୍ଷରୁ ରିହାତି ଦରରେ କୃଷି ଓ କୃଷକଙ୍କ କଲ୍ୟାଣ ଓ ଆର୍ଥିକ ଅଭିବୃଦ୍ଧି ସକାଶେ ରିହାତି ଦରରେ କୃଷି ଭିତ୍ତିକ ଟ୍ରାକ୍ଟର,ଯନ୍ତ୍ରାଂଶ ସହାୟତା ଯୋଗାଇ ଦିଆଯାଇଛି।କିନ୍ତୁ ସରକାରଙ୍କ ଏହି ମହତ ଉଦ୍ଦେଶ୍ୟକୁ ଅସତ ଉପାୟରେ ଚାଷୀ ବୋଲାଉ ଥିବା କିଛି ଲାଭଖୋର ବ୍ୟବସାୟୀ ସରକାରୀ ନୀତି ନିୟମକୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ହିଞ୍ଜିଳିକାଟୁ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଓ କାରବାରରେ ସକ୍ରିୟ ଥିବା ଏବେ ନିତିଦିନିଆ ଘଟଣା ପାଲଟିଛି। କୃଷି ଋଣରେ ରିହାତି ପାଇଥିବା ଏକ କୃଷି ଭିତ୍ତିକ ଟ୍ରାକ୍ଟରକୁ ମାଲିକ ଜଣକ ଅସାଧୁ ଉପାୟ ଅବଲମ୍ବନ କରି ପ୍ରାୟ ଦୀର୍ଘ ଦିନ ଧରି ପଥର,ମାଟି ଓ ବାଲି ଆଦି ଲଘୁ ଖଣିଜ ସମ୍ପଦ ଚାଲାଣ କରୁଥିବା ବେଳେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସକାଳେ ଉକ୍ତ ଟ୍ରାକ୍ଟରକୁ ଜବତ କରାଯାଇଛି।

ସବୁଦିନ ପରି ଉକ୍ତ କୃଷି ଭିତ୍ତିକ ଟ୍ରାକ୍ଟରରେ ଚୋରା ବାଲି ପରିବହନ କରୁଥିବା ସମୟରେ ଏନଫୋର୍ସମେଣ୍ଟ ଟିମ ଅତର୍କିତ ଚଢ଼ଉ ଟ୍ରାକ୍ଟରଟିକୁ ଅଟକ ରଖିଛନ୍ତି।ପ୍ରାପ୍ତସୂଚନା ଅନୁସାରେ ଟ୍ରାକ୍ଟର ନଂ (ଓଡ଼ି ୦୭ ଏଏମ ୭୭୭୧) ଯୋଗେ ଘୋଡାହଡ଼ ନଦୀ ପଠାରୁ ବିଳମ୍ବିତ ରାତ୍ରରେ ଚୋରା ବାଲି ଠୁଳ ହୋଇଥିବା ସ୍ଥାନରୁ ବାଲି ବୋଝେଇ ହୋଇ ଅନ୍ୟତ୍ର ପରିବହନ ହେଉଥିବା ନେଇ ଏନଫୋର୍ସମେଣ୍ଟ ଟିମକୁ ନିର୍ଦ୍ଧିଷ୍ଟ ସୂଚନା ମିଳିଥିଲା।ଫଳରେ ଟିମ ସେଠାରେ ପହଞ୍ଚି ଅତର୍କିତ ଚଢ଼ାଉ କରି ଟ୍ରାକ୍ଟରକୁ ଜବତ କରି ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ।ବିଶେଷ ଅନୁସନ୍ଧାନ ବେଳେ ସମ୍ପୃକ୍ତ ଟ୍ରାକ୍ଟରଟି କେବଳ କୃଷି କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ବେନିୟମ ଭାବେ ବିଭିନ୍ନ ସମୟରେ ପରିବହନ କାର୍ଯ୍ୟରେ ନିୟୋଜିତ ହୋଇଛି।

ଜବତ ଟ୍ରାକ୍ଟରର ପ୍ରଦୂଷଣ ଓ ବୀମା ପ୍ରମାଣପତ୍ର ଅବଧି ୫ମାସ ପୂର୍ବରୁ ଅତିକ୍ରାନ୍ତ ହୋଇ ସାରିଥିଲା ବେଳେ ଗାଡି ମାଲିକ ଜଣକ ବେଶ ନିର୍ବିଘ୍ନରେ ବେଧଡକ ଭାବେ ବାଲି ଚୋରା ଚାଲାଣରେ ନିୟୋଜିତ କରିଥିବା ଜଣାପଡିଛି।ଅନ୍ୟ ଏକ ଉଲ୍ଲେଖ ଯୋଗ୍ୟ ପ୍ରସଙ୍ଗ ହେଲା ନିୟମ ଅନୁଯାୟୀ ସମ୍ପୃକ୍ତ କୃଷି ଭିତ୍ତିକ ଟ୍ରାକ୍ଟରରେ ଲୁହା ଲଙ୍ଗଳ ସଂଯୋଗ କରିବା ପରିବର୍ତ୍ତେ ଟ୍ରାକ୍ଟର ମାଲିକ ନମ୍ବର ବିହୀନ ଟ୍ରଲି ବ୍ୟବହାର କରି ଦିନ ରାତି ଖୁଲମଖୁଲା ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣରେ ମାତି ଥିବା ସୂଚନା ମିଳିଛି।ପ୍ରାୟତଃ ଚଢ଼ଉ ସମୟରେ ପୋଲିସ କିମ୍ବା ତହସିଲ କର୍ମଚାରୀ କିଛି ଜୋରିମାନା ଆଦାୟ କରି ଟ୍ରାକ୍ଟର ଗୁଡିକୁ ଛାଡି ଦେଉଥିଲା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ କାଗଜପତ୍ର ତନଖି କରୁ ନ ଥିବା ମଧ୍ୟ ଜଣାପଡିଛି।
ଫଳରେ ପରିବହନ ବିଭାଗର ଆଢୁଆଳରେ ରହି ସ୍ଥାନୀୟ ଥାନା ଅଞ୍ଚଳରେ ଶହ ଶହ ଟ୍ରାକ୍ଟର ପ୍ରଦୂଷଣ, ବୀମା, ଡ୍ରାଇଭିଂ ଲାଇସେନ୍ସ,ସଡକ ଶୁକ୍ଳ ଆଦି କାଗଜପତ୍ର ଓ ଟିକସ ଫାଙ୍କି କିଛି ଲାଭଖୋର ବାଲି,ପଥର,ମୋରାମ ଓ ମାଟି ମାଫିଆ ବେଶ ଆରାମରେ କୋଟି କୋଟି ଟଙ୍କା ଉପାର୍ଜ୍ଜନ କରୁଥିବା ଦେଖା ଯାଇଛି।ଖବର ଲେଖା ହେଲା ସୁଦ୍ଧା ଜବତ ଟ୍ରାକ୍ଟରଟି କାର୍ଯ୍ୟାଳୟ ପରିସରରେ ଅଟକ ରଖାଯାଇଛି।ଏନେଇ ତହସିଲଦାରଙ୍କ କାର୍ଯ୍ୟାଳୟରୁ କୌଣସି ସୂଚନା ମିଳି ପାରିନାହିଁ।ସ୍ଥାନୀୟ ଅଞ୍ଚଳରେ ଲଘୁଖଣିଜ ସମ୍ପଦର ଏଭଳି ବେଧଡକ ଚୋରା କାରବାରରେ ମୁଣ୍ଡ ଟେକିଥିବା ପ୍ରଭାବଶାଳୀ ମାଫିଆ ଓ ବ୍ୟବସାୟୀଙ୍କ ଉପରେ କିଭଳି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି ତାହା ଏବେ ସହରରେ ଚର୍ଚ୍ଚା ହେଉଛି।














