‘ଓଡ଼ିଶା ତାଜା ନ୍ୟୁଜ’ର ପ୍ରଭାବ ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ
୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦିନକୁ ଦିନ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଫଳରେ ସହର ମଧ୍ୟରେ ଦୈନିକ ବହୁ ଛୋଟ ବଡ ଦୂର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିଲା ।

ଏ ନେଇ ଚଳିତ ମାସ ୧୦ ତାରିଖରେ ଓଡ଼ିଶାର ଲୋକପ୍ରିୟ ପୋର୍ଟାଲ ନ୍ୟୁଜ ଓଡ଼ିଶା ତାଜା ନ୍ୟୁଜ’ରେ ମନଇଚ୍ଛା ପାର୍କିଂ– ଟ୍ରାଫିକ ବ୍ୟବସ୍ଥା ଅଣାୟତ୍ତ ନେଇ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶନ ପରେ ଚେତିଛି ପ୍ରଶାସନ । ବୁଧବାର ଭୋରରୁ ହିଞ୍ଜିଳିକାଟୁ ପୌର ପ୍ରଶାସନ ଓ ହିଞ୍ଜିଳି ପୁଲିସ ପ୍ରଶାସନର ମିଳିତ ଉଦ୍ୟମରେ ସହରର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ବିଜୁପଟ୍ଟନାୟକ ଛକ,

ପରିବା ବଜାର ଓ ବସ ଟର୍ମିନାଲ ନିକଟସ୍ଥ ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ଜବରଦଖଲ କରି ବ୍ୟବସାୟ ଚଲାଇ ଆସୁଥିବା ଜବରଦଖଲକାରୀ ବ୍ୟବସାୟୀଙ୍କୁ ହଟାଇଛି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଓ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀଙ୍କ ତତ୍ତବାବଧାନରେ ଏନଫୋର୍ସମେଣ୍ଟ ଟିମ୍ରେ ଥାନା ଏସ.ଆଇ .ସୁନିଲ କଣ୍ଡୋଗିରି, ସିଦ୍ଧାର୍ଥ ଜେନା,

ଏଏସଆଇ ଅନନ୍ତ ଶବର, ମନୋଜ ସେନାପତି, ରାମକୃଷ୍ଣ ବେହେରା, ରବିନ୍ଦ୍ର ସେଠି, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ସରୋଜ ରଣସିଂ, ଜିତେନ୍ଦ୍ର ଗୌଡ, ଏପିଆର ଓ ଆଇଆରବି ପୁଲିସ ଫୋର୍ସ, ପୌର କର୍ମଚାରୀ ମୋହନ ଆଚାରୀ, ସୁବାଷ ପଟ୍ଟନାୟକ, କିଶାନ କୁମାର ପାତ୍ର, ରବିନ୍ଦ୍ର ଗୌଡ, ପ୍ରମୋଦ ସାହୁ, ସମିର ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ସହର ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥରେ ଦୈନିକ ହଜାର ହଜାର ଯାତ୍ରୀବାହୀ ବସ୍, ମାଲପରିବହନକାରୀ ଗାଡି ସମେତ କାର ଓ ବାଇକ ଯାତାୟତ କରିଥାନ୍ତି । ପ୍ରତ୍ୟହ ହିଞ୍ଜିଳିକାଟୁ ସହରକୁ ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନସାଧାରଣ ବେପାର ବଣିଜ କରିବା ସକାଶେ ହିଞ୍ଜିଳିକାଟୁ ବଜାରକୁ ଆସିଥାନ୍ତି ।

ସ୍ଥାନୀୟ ସହର ମଧ୍ୟରେ ପାର୍କିଂ ସକାଶେ ପର୍ଯ୍ୟାପ୍ତ ସ୍ଥାନାଭାବ ଯୋଗୁଁ ନିକଟସ୍ଥ ଅଞ୍ଚଳରୁ ଆସିଥିବା ବ୍ୟବସାୟୀ ମାନେ ନିଜ ନିଜ ଗାଡି ମୋଟରକୁ ରାସ୍ତା ଉପରେ ପାର୍କିଂ କରୁଥିଲେ । ଫଳରେ ସହରୀ ମଧ୍ୟ ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ସଂକୀର୍ଣ୍ଣ ହେବା ସହ ବହୁ ସମୟରେ ଛୋଟ ବଡ ଦୂର୍ଘଟଣା ଘଟୁଥିବା ନଜିର ରହିଛି । ଏପରିକି ସହରର ବିଜୁଟ୍ଟ୍ନାୟକ ଛକ ଠାରୁ ପରିବା ବଜାର ଦେଇ ୩୬ନଂ ରାଜ୍ୟ ରଜାପଥ ଯାଇଛି ।

ପରିବା ବଜାର ମଧ୍ୟରେ ବହୁ ସମୟରେ ପରିବା ବୋଝେଇ ଟ୍ରକ ଗୁଡିକ ରହି ପରିବା, ଆଳୁ, ପିଆଜ ଅନଲୋଡିଂ କରୁଥିବା ବେଳେ ଗୁରୁତର ଟ୍ରାଫିକ ସମସ୍ୟା ହେଉଥିଲା । ପରିବା ବଜାର ନିକଟସ୍ଥ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପିତ ଥିବା ବେଳେ ବିଦ୍ୟାଳୟ କୋଲିବା ଓ ଛୁଟି ହେବା ସୟମରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖା ଦେଉଥିଲା ।

ଅନ୍ୟପକ୍ଷରେ ବିଜୁ ପଟ୍ଟନାୟକ ଛକ ଠାରୁ ଆରଏମସି ଛକ ପର୍ଯ୍ୟନ୍ତ ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ଗଢି ଉଠିଥିବା ବହୁ ଉଠା ଦୋକାନୀ ଜବରଦଖଲ କରି ରାସ୍ତା ଉପରେ ବ୍ୟବସାୟ କରୁଥିବାରୁ ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଉତ୍କଟ ହେବାରେ ଲାଗିଥିଲା ।

ବୁଧବାର ପୁଳିସ ଓ ପୌର ପ୍ରଶାସନର ମିଳିତ ଚଢାଉ କରି ରାସ୍ତା ଉପରୁ ଜବରଦଖଲକାରୀ ବ୍ୟବସାୟୀଙ୍କୁ ହଟାଇବା ପରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ଓଡ଼ିଶାର ଲୋକପ୍ରିୟ ପୋର୍ଟାଲ ନ୍ୟୁଜ “ଓଡ଼ିଶା ତାଜା ଖବର”ପରେ ଖବର ପ୍ରକାଶନ ପରେ ପ୍ରଶାସନ ଚେତିଥିବାରୁ ସଂପୃକ୍ତ ଖବରକାଗଜର ସମ୍ପାଦକଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।














