ଓଡିଶା ତାଜା ନ୍ୟୁଜ୍ (୧୫ଜୁଲାଇ୨୦୨୦,ବୁଧବାର ) ହିଞ୍ଜିଳି କାଟୁ :- ହିଞ୍ଜିଳି ବ୍ଳକର ଅଧିକାଂଶ ବସ୍ତି ଓ ସ୍ଥାନୀୟ ପୋୖରାଞ୍ଚକର ବିଭିନ୍ନ ସାହିରେ କରୋନା ପରିସ୍ଥିତି ସଙ୍ଗୀନ ହୋଇଛି।ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ଘରକୁ ଘର ବୁଲି କରାଯାଉଥିବା ଥର୍ମାଲ ସ୍କ୍ରିନିଙ୍ଗରୁ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ କରୋନା ଲକ୍ଷଣ ପ୍ରକାଶ ପାଉଥିବା ବହୁ ସଂଖ୍ୟକ ଆକ୍ରାନ୍ତଙ୍କ ସ୍ୱାବ ନମୁନା ପରୀକ୍ଷଣ ରୁ ଏଭଳି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଗତ ସପ୍ତାହକ ମଧ୍ୟରେ କରୋନା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ କାରଣରୁ ଅଞ୍ଚଳରେ କିଛି ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିବା ଘଟଣା ଏକ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି ।
ପ୍ରଶାସନ ପକ୍ଷରୁ ସଚେତନତା, ପୁଲିସ ବିଭାଗ ପକ୍ଷରୁ ଗାଡି ମୋଟର କଡାକଡି ଯାଞ୍ଚ କରାଯାଇ ଅମାନିଆ ଓ ଉଲ୍ଲଙ୍ଘନ କାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ମହାମାରୀ କରୋନାର ଭୟାବହତା ସମସ୍ତଙ୍କୁ ଘରିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରତିକାର ଓ ପ୍ରତିଷେଧକ ପାଇଁ ପ୍ରୟାସ ଜାରି ରହିଛି । ଅଞ୍ଚଳରେ ସଂକ୍ରମଣଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ସ୍ଥାନ ଗୁଡିକରେ ବିଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଏହି କ୍ରମରେ ବିଡିଓପ୍ରସନ୍ନ କୁମାର ପାତ୍ର ଓ ପୌର ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ଉଦ୍ୟମ କ୍ରମେ ସହରର ସାହି ସାହି ଓ ଗ୍ରାମାଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି ।
ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୋଦ କୁମାର ଭୂୟାଁ ନିଜ ଟିମକୁ ନେଇ ବିଶୋଧକ ସିଞ୍ଚନ ପ୍ରକ୍ରିୟା ଜାରି ରଖିଛନ୍ତି । ମଙ୍ଗଳବାର ବ୍ଳକର ଦୁର୍ବନ୍ଧ, ବାଦୀ ଆମ୍ବଗାଁ,ମକରଝୋଳ ଗ୍ରାମର ବିଭିନ୍ନ ସ୍ଥାନରେ ଅଗ୍ନିଶମ କର୍ମଚାରୀ ମାନେ ସୋଡ଼ିୟମ ହାଇଡ୍ରୋକ୍ଲୋରାଇଡ଼ ଦ୍ରବଣ ସିଞ୍ଚନ କରିଥିଲେ । ପୋୖରାଞ୍ଚକର ଶ୍ରୀରାମ ନଗର, ମାଷ୍ଟର କଲୋନୀ, ପଟ୍ଟନାୟକ କଲୋନୀ, ବମ୍ବେ କଲୋନୀ,ଲାଲ ବାହାଦୂର ମାର୍ଗ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଜେଏମ୍ଏଫସି କୋର୍ଟ ପରିସରରେ ବିଶୋଧକ ସିଞ୍ଚନ କରାଯାଇଛି । ଅଗ୍ନିଶମ କର୍ମଚାରୀ ସନ୍ତୋଷ କୁମାର ଗୌଡ଼ ଓ ହରିହର ବେହେରା ପ୍ରମୁଖ ନିୟୋଜିତ ରହି ବିଶୋଧକ ସିଞ୍ଚନ କରିଥିଲେ । (ରିପୋର୍ଟ /ହିଞ୍ଜିଳି କାଟୁ – ଲଳିତ ମୋହନ ପଲାଇ)