No Result
View All Result
୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବାଳକୃଷ୍ଣପୁର ଓ ଡି ପାଟପୁର ମଧ୍ୟବର୍ତ୍ତୀ ରାସ୍ତାରେ କୋର୍ଟ ଭ୍ୟାନ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା ବେଳେ ସାଥି ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ଆସିକା ଥାନା ଅଞ୍ଚଳର କାହ୍ନୁଚରଣ ଦାଶ ଓ ଗୁରୁତର ଆହତ ଜଣଙ୍କ ଆସିକା ଅଞ୍ଚଳର ଦିପକ ପ୍ରଧାନ ବୋଲି ଜଣାପଡିଛି। ଉଭୟ ମୃତ ଓ ଆହତ ଦ୍ବୟ ଭାବନ୍ଧ ସ୍ଥିତ ଏକ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନର ଇଲେକ୍ଟ୍ରିକାଲ ବିଭାଗର ପ୍ରଥମ ବର୍ଷ ଛାତ୍ର ବୋଲି ଜଣାପଡିଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର କାହ୍ନୁଙ୍କୁ ମୃତ ଘୋଷଣା କରିଥିଲେ। ଦିପକଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ୨ ଛାତ୍ର ଜିଆଇଟି ବୈଷୟିକ ଅନୁଷ୍ଠାନରୁ ଶିକ୍ଷା ଅଧ୍ୟୟନ ସାରି ବାଇକ୍ (ଓଡି୩୨ ଏଫ ୮୩୪୯) ଯୋଗେ ଗ୍ରାମକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଏକ ପୁଲିସ ଭ୍ୟାନ ସହ ହିଞ୍ଜିଳି ଥାନା ବାଳକୃଷ୍ଣପୁର – ଡି. ପାଟପୁର ମଧ୍ୟବର୍ତ୍ତୀ ରାସ୍ତାରେ ମୁହାଁମୁହିଁ ଧକ୍କା ଘଟିଥିଲା । ଦୁର୍ଘଟଣା ପରେ କୋର୍ଟ ଭ୍ୟାନ ଘଟଣା ସ୍ଥଳରୁ ଚାଲି ଯାଇଥିବା ଜଣାପଡିଛି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ପ୍ରକାଶ ।

No Result
View All Result