ଓଡିଶା ତାଜା ନ୍ୟୁଜ୍ (୧୪ ଜୁଲାଇ ୨୦୨୦ ମଙ୍ଗଳବାର) ଏରସମା :- ମହାମାରୀ କରୋନା ପାଇଁ ସରକାର ତଥା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ବ୍ୟାଙ୍କିଙ୍ଗ ଓ ଅଣ ବ୍ୟାଙ୍କିଙ୍ଗ ସଂସ୍ଥା ମାନଙ୍କୁ ଋଣ କିସ୍ତି ଆଦାୟ କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଆଦାୟ ନକରିବାକୁ ଘୋଷଣା କରିଥିବା ବେଳେ କିଛି ଅର୍ଥ ଲଗାଣକାରୀ ସଂସ୍ଥାମାନେ ଏହି ସମୟ ମଧ୍ୟରେ ସୁଧର ସୁଧ ଦାବି କରୁଥିବା ଅଭିଯୋଗ ଆସିଛି । ଜଗତସିଂହପୁର ଜିଲ୍ଲା, ଏରସମା ବ୍ଲକରେ ବେସରକାରୀ ଭାବେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାମାନେ ଗ୍ରାମାଞ୍ଚଳରେ ଗ୍ରୁପ ମାନ ଗଠନକରି ସୁଧ କୁ ଟଙ୍କା ଲଗାଣ କରିଥାନ୍ତି । ପ୍ରତି ମାସରେ କିସ୍ତି ଓ ସୁଧ ଟଙ୍କା ଗ୍ରୁପ୍ ସହାୟତାରେ ଆଦାୟ କରାଯାଉଥିଲା । ମାତ୍ର ମହାମାରୀ କରୋନା ଯୋଗୁଁ ଲକଡାଉନ୍ ହେବା ପରଠାରୁ ମହିଳାମାନେ କିସ୍ତି ପରିଶୋଧ କରିପାରୁନାହାଁନ୍ତି । ଯେଉଁଥିପାଇଁ ଅର୍ଥ ଲଗାଣକାରୀ ସଂସ୍ଥାମାନେ କିସ୍ତି ଅର୍ଥ ଉପରେ ଅଧିକସୁଧ ଦାବି କରିବା ସହିତ ମହିଳାମାନଙ୍କୁ ଧମକଚମକ କରୁଥିବା ଅଭିଯୋଗ ଆସିଛି ।
ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ, ବାମଦେଇପୂର ଆଦି ପଞ୍ଚାୟତରେ ଭାରତ ଫାଇନାନ୍ସ, ବନ୍ଧନ ବ୍ୟାଙ୍କ, ସ୍ପନ୍ଦନ ଫାଇନାନ୍ସ, ଏଲ୍ ଆଣ୍ଡ ଟି ଫାଇନାନ୍ସ ଏବଂ ଅନ୍ନପୂର୍ଣ୍ଣା ଫାଇନାନ୍ସ ଆଦି ଅର୍ଥ ଲଗାଣକାରୀ ସଂସ୍ଥାମାନେ ମହିଳା ମାନଙ୍କୁ ଋଣ ପ୍ରଦାନ କରିଥିଲେ । ମହାମାରୀ କରୋନା ଯୋଗୁଁ ନିଜ ନିଜର ଜୀବିକା ବନ୍ଦକରି ଘରେ ରହିବା ଫଳରେ ସେମାନଙ୍କ ଆର୍ଥିକ ସ୍ଥିତି ଦୃବଳ ହୋଇପଡ଼ିଲାଣି । ଏହିଭଳି ପରିସ୍ଥିତିରେ ମହିଳାମାନେ ଋଣ ପରିଶୋଧ କରିବା ଦୂରର କଥା, ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡ଼ିଲାଣି । ଏଭଳି ଦୁର୍ଦ୍ଦିନରୁ ମୁକୁଳିବାପାଇଁ ବାଲିତୁଠ, ବାମଦେଇପୂର ଆଦି ପଞ୍ଚାୟତ ମହିଳା ଗ୍ରୁପ୍ ର ନମିତା ସ୍ବାଇଁ, ନିରୂପମା ତ୍ରିପାଠୀ, ବିଦୁଲତା ରାୟ, ମାମୁନି ଓଝା, ନିରୂପମା ମଲିକ, ପ୍ରତିମା ଆଚାର୍ଯ୍ୟ, ଉଷାରାଣୀ ଦାସ, ଅନ୍ନପୂର୍ଣ୍ଣା ଦାସ, ରିନା ଦାସ, କମଳା ନନ୍ଦ, ଶୈଳବାଳା ଦାସ, ସୁନୀତା ସେଠୀ, ବାସନ୍ତୀ ମଲିକ, ଲିଲିବାଳା ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ ମହୋଦୟଙ୍କୁ ସୁଧ ଛାଡ କରିବା ସହିତ ଆର୍ଥିକ ଅବସ୍ଥା ନ ସୁଧୁରିବା ପର୍ଯ୍ୟନ୍ତ ଋଣ ପରିଶୋଧ ର ମିଆଦୀ ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି । (ରିପୋର୍ଟ – ରଶ୍ମି ରଞ୍ଜନ ଖୁଣ୍ଟିଆ)