୧୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> ରବିବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ଥାନା ତେଲିମୁଣ୍ଡାଠାରେ ଏକ ଅଟୋ ରିକ୍ସା ବ୍ରିଜର ୨୦ଫୁଟ ତଳକୁ ଖସି ପଡିଛି। ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରତଙ୍ଗ ପଞ୍ଚାୟତ ଡେଲାରପଡା ଗ୍ରାମର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ। ସୂଚନା ଅନୁଯାୟୀ, ସିଦ୍ଧାନ୍ତ ରବିବାର ନିଜ ଅଟୋରେ କିଛି ଲୋକଙ୍କୁ ନେଇ ଦୀପାବଳି ଯାତ୍ରା ଦେଖିବା ପାଇଁ ନୂଆପଦର ଯାଇ ଘରକୁ ଫେରି ନଥିଲେ ।

ସୋମବାର ସକାଳୁ ବନ୍ଧଗଡ଼ ନିକଟ ତେଲିମୁଣ୍ଡା ବ୍ରିଜ ତଳେ ପାଣି ଭିତରେ ଏକ ଅଟୋ ବୁଡ଼ି ରହିଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ । ଦମକଳ ବାହିନୀ ଆସି ପାଣିରୁ ଅଟୋ ରିକ୍ସା ବାହାର କରିବା ପରେ ଗାଡି ଭିତରୁ ସିଦ୍ଧାନ୍ତଙ୍କ ମୃତଦେହ ଉଦ୍ଧାର କରିଛି । ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସିଦ୍ଧାନ୍ତ ଫିରିଙ୍ଗିଆ କଲେଜରେ ଅଧ୍ୟୟନ କରିବା ସହ ମାସେ ତଳେ ଅଟୋ ରିକ୍ସା କିଣି ନିଜେ ଚଳାଉଥିଲେ ବୋଲି ଜଣାପଡିଛି ।















