ଓଡିଶା ତାଜା ନ୍ୟୁଜ୍ (୧୩ ଜୁଲାଇ ସୋମବାର) ଭୁବନେଶ୍ୱର :- ଏଆଇସିସି ଅଧିନରେ କାର୍ଯ୍ୟକରୁଥିବା ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁଶ୍ରୀ ମିନାକ୍ଷୀ ନଟରାଜନ ଓଡ଼ିଶା ପାଇଁ ଶ୍ରୀ ସୁଦର୍ଶନ ଦାସଙ୍କୁ ରାଜୀବ ଗାନ୍ଧୀ ପଂଚାୟତୀରାଜ ସଂଗଠନର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି । ରାଜୀବ ଗାନ୍ଧୀ ପଂଚାୟତୀରାଜ ସଂଗଠନ ଭାରତୀୟ ଜାତୀୟ କଂଗ୍ରେସ ଦଳର ଏକ ଛାମୁଆ ସଂଗଠନ ଭାବରେ କାର୍ଯ୍ୟକରି ଆସୁଛି । ବିଶେଷକରି ଦେଶରେ ପଂଚାୟତ ରାଜ ବ୍ୟବସ୍ଥାକୁ ସଶକ୍ତ କରାଇବା ସହିତ ତୃଣମୁଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଏହାର ଭୂମିକା ଦେଶରେ ଗୁରୁତ୍ୱପୂର୍ଣ୍ଣ ।
ଗାନ୍ଧୀ, ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ମୁଳମନ୍ତ୍ର ଭାବରେ ଗ୍ରହଣ କରି ଗ୍ରାମ ସୋରାଜ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା କ୍ଷେତ୍ରରେ ରାଜୀବ ଗାନ୍ଧୀ ପଂଚାୟତୀରାଜ ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆସୁଛି । ଓଡ଼ିଶାରେ ଏହାର କାର୍ଯ୍ୟକ୍ରମକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଶ୍ରୀ ଦାସଙ୍କୁ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଦିଆଯାଇଛି । ଆଗାମୀ ପଂଚାୟତ ନିର୍ବାଚନରେ ଦଳ କିପରି ତାର ଶକ୍ତି ପ୍ରଦର୍ଶନ କରିପାରିବ ସେ ଦିଗରେ ଶ୍ରୀ ଦାସ କାର୍ଯ୍ୟକରିବେ । ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିବାରୁ ଶ୍ରୀ ଦାସ ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ, ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷା ଶୁଶ୍ରୀ ମିନାକ୍ଷୀ ନଟରାଜନ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।