ଓଡିଶା ତାଜା ନ୍ୟୁଜ୍ (୧୩ ଜୁଲାଇ ସୋମବାର) କୋରାଇ :- ସରକାର ଗରିବ, ଅସହାୟ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ନିମନ୍ତେ କରିଛନ୍ତି ଅନେକ ଯୋଜନା । ଝାଟିମାଟି ଘରେ ରହିବେ ନାହିଁ କି ଆର୍ଥିକ ଅନଟନ ପାଇଁ ମାସିକ ଭତା ଓ କ୍ଷୁଧାନିବାରଣ ପାଇଁ ଅନ୍ତଦ୍ୱୟ ପରେ ଏବେ ପୁଣି ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରିଛନ୍ତି । ସେମାନଙ୍କ ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ କରି ମାଳମାଳ ଯୋଜନା କରିଚାଲିଛିନ୍ତି ସରକାର । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ସଠିକଭାବେ ବିନିଯୋଗ ହୋଇ ନପାରି ଯୋଜନାଗୁଡିକ ବାଟବଣା ହୋଇ ଯାଇଛି । ଯାହାକି ସରକାରଙ୍କ ପ୍ରଣିତ ଖାଦ୍ୟସୁରକ୍ଷା ଯୋଜନାରୁ ଅସହାୟ ଦୁଇ ବୃଦ୍ଧ ବଂଚିତ ହୋଇଥିବା ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା କୋରାଇ ବ୍ଲକର ବଡବିରୁଆଁ ପଂଚାୟତସି୍ଥତ ବନମାଳୀପୁର ଗ୍ରାମରେ । ଫଳରେ ମହାମାରୀ କରୋନା ସମୟରେ ଖାଇବାକୁ ନପାଇଁ ଅତି ଦୟନୀୟ ଅବସ୍ଥାରେ ଦିନ ବିତାଉଛନ୍ତି ଏହି ନିରାଶ୍ରୟ ବୃଦ୍ଧ ଦ୍ୱୟ । ପ୍ରକାଶଯେ,ବନମାଳୀପୁର ଗ୍ରାମର ବାବାଜି ନାୟକ (୮୫) ଓ ସେହି ଗ୍ରାମର ଗୟାଧର ମଲିକ (୭୫) ଉଭୟ ଅତ୍ୟନ୍ତ ଗରିବ । ଏମାନଙ୍କୁ ଦେଖା ରଖା କରିବାକୁ ପାଖରେ କେହି ପିଲା ଛୁଆ ନାହାନ୍ତି । ଦୀର୍ଘଦିନ ହେବ ଏମାନେ ଗଣ୍ଡେ ଭଲରେ ଖାଇ ପାରୁ ନାହାନ୍ତି । ବୟସ ଅତିକ୍ରାନ୍ତ ହେତୁ ପର ଦୁଆରେ କାମ କରିବାକୁ ସକ୍ଷମ ହେଉନଥିବା ବେଳେ ପ୍ରଶାସନ ପକ୍ଷରୁ ଏମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ସାମିଲ କରାଯାଇ ନଥିବାରୁ ଏମାନେ ଦୁର୍ଦିନରେ ଦିନ କାଟୁଛନ୍ତି । ପୂର୍ବରୁ ଏମାନଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ ଦିଆଯାଉଥିଲା । ହେଲେ ବିଗତ ୯ମାସ ହେବ ବାବାଜି ନାୟକ ଓ ଗୟାଧର ମଲିକଙ୍କୁ ଆଉ ଚାଉଳ ଦିଆଯାଉ ନାହିଁ ।
ଏମାନେ କିପରି ରାସନ ସାମଗ୍ରୀ ପାଇବେ ସେ ନେଇ ସ୍ଥାନୀୟ ସରପଂଚଙ୍କ ସମେତ ବ୍ଳକ ଯୋଗାଣ ବିଭାଗ ଅଧିକାରୀଙ୍କ ନିବେଦଦ କରିଥିଲେ ମଧ୍ୟ ତାହା ଏଯାବତ୍ ସମ୍ଭବ ହୋଇପାରି ନାହିଁ । ଏହାକୁ ନେଇ ଉଭୟେ ସ୍ଥାନୀୟ ସମିତିସଭ୍ୟ ପ୍ରମୋଦକୁମାର ସାହୁଙ୍କୁ ଜଣାଇବା ପରେ ସମିତିସଭ୍ୟ ଶ୍ରୀ ସାହୁ ମଧ୍ୟ ବ୍ଳକ ଯୋଗାଣ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି । ତଥାପି ଏମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ନାହିଁ । କୋରାଇ ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାରେ ଦ୍ୱିମହଲା କୋଠା, ଗାଡ଼ି ଘୋଡ଼ା ଥିବା ଭଳି ଲୋକଙ୍କୁ ସାମଗ୍ରୀ ଦିଆଯାଉଥିବା ବେଳେ ଏଭଳି ଅନେକ ନିରାଶ୍ରୟ ଲୋକ ଏଥିରେ ସାମିଲ କରାଯାଉ ନାହିଁ । ମହାମାରୀ କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ହେଉ କି ଖାଦ୍ୟ ସୁରକ୍ଷା ଯୋଜନା ହେଉ; ଏଥିପାଇଁ ହିତଧିକାରୀଙ୍କୁ ଆଗୁଆ ୩ମାସ ଚାଉଳ ସହିତ ଏକ ହଜାର ଟଙ୍କା ଦିଆଯାଇଛି । ମାତ୍ର ବାବାଜି ନାୟକ ଓ ଗୟାଧର ମଲିକ ଭଳି ଦିନ ମଜୁଆର ଓ ନିରାଶ୍ରୟ ବ୍ୟକ୍ତିଙ୍କୁ ଏଥିରୁ ବାଦ ଦିଆଯାଉଥିବାରୁ ବ୍ଳକରେ କିଭଳିଭାବେ ଏହି ଯୋଜନା ଚାଲିଛି; ତାହା ଏଥିରୁ ସହଜରେ ଅନୁମେୟ ।
ଏସମ୍ପର୍କରେ ସ୍ଥାନୀୟ ସମିତି ସଭ୍ୟ ଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଆମ ବାବାଜି ଓ ଗୟାଧରଙ୍କୁ କିପରି ରାସନ ସାମଗ୍ରୀ ଦିଆଯିବ; ସେଥିନେଇ ସେ ବହୁବାର ବ୍ଳକ ଯୋଗାଣ ଅଧିକାରୀଙ୍କୁ ଜଣାଇଛନ୍ତି । ଯୋଗାଣ ଅଧିକାରୀ ଦେବେ ଦେବେ କହି ଦିନ ଗଡ଼ାଇ ଚାଲିଥିଲେ ବି ଏମାନଙ୍କ ସାମଗ୍ରୀ ଦେବାର ବ୍ୟବସ୍ଥା କରୁ ନାହାନ୍ତି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏନେଇ ସରପଂଚ ସୁଲୋଚନା ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ବାବାଜି ଓ ଗୟାଧର ଉଭୟଙ୍କର ଅନ୍ନପୂର୍ଣ୍ଣ ଯୋଜାନ ଥିଲା; ତାହାକେନ୍ଦ୍ର ସରକାରଙ୍କ ଯୋଜନା ବନ୍ଦ ହୋଇଛି । ତେଣୁ ସେମାନେ ଖାଦ୍ୟଯୋଜନାରେ ସାମିଲି ହେବା ନିମନ୍ତେ ବିଡିଓଙ୍କ ସହିତ ଯୋଗାଯୋଗ କରିଛି, ସେ ଦୁହିଁଙ୍କୁ ଚଳିତମାସ ଶୋଷ ସୁଦ୍ଧା ରାସନ ସମାଗ୍ରୀ ମିଳିଯିବ ବୋଲି ଶ୍ରୀମତୀ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି । ଏହି ଗରିବ ଅସହାୟ ବୃଦ୍ଧଦ୍ୱୟଙ୍କ ସ୍ଥିତ ଉପରେ ଜିଲାପାଳ, ଜିଲାଯୋଗାଣ ଅଧିକାରୀ ଓ କୋରାଇ ବିଡିଓ ଦୃଷ୍ଟି ଦେବାକୁ ସ୍ଥାନୀୟ ସମିତିସଭ୍ୟ ଶ୍ରୀ ସାହୁଙ୍କ ସମେତ ଅଧିବାସୀଙ୍କ ପକ୍ଷରୁ ଦାବି ହେଉଛି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )