ଓଡିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ୨୦୨୦ ରବିବାର) ଭୁବନେଶ୍ୱର :- ମୋହନା ବ୍ଲକ ଅନ୍ତର୍ଗତ ଗୋଠବୋଲି ଗ୍ରାମରେ ବିବାହ ଭୋଜି ଚାଲିଥିଲା । ହଜାରେ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ଯାଇଥିଲା । ତେବେ ଲୋକେ ଭୋଜି ଖାଇବା ପୂର୍ବରୁ ପହଞ୍ଚିଲେ ମୋହନା ତହସିଲ୍ଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଓ ଥାନା ଅଧିକାରୀ ସୁଜିତ୍ କୁମାର ନାୟକ । କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୋଜି ପାଇଁ ରନ୍ଧା ଖାଦ୍ୟ ଜବତ କଲେ । କୋଭିଡ୍ ନିୟମ ଉଲ୍ଲଙ୍ଘନରେ ଭୋଜିଭାତ ଆୟୋଜନ କରିଥିବା ବର ସୁଶାନ୍ତ ମାଳିଙ୍କ ବିରୋଧରେ ତହସିଲ୍ଦାର କଲ୍ୟାଣୀ ସଂଘମିତ୍ରା ଦେବୀ ନିଜ ତରଫରୁ ଥାନାରେ ଏକ ମାମଲା ରୁଜୁ କରିଥିଲେ ।
ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ୧୯କୁ ଅବମାନନା କରି ମୋହନା ବ୍ଲକ ଅନ୍ତର୍ଗତ ଗୋଠବୋଲି ଗ୍ରାମରେ ବିବାହ ଭୋଜିଭାତର ଆସର ଆୟୋଜନ କରାଯାଇଥିଲା । ସୁଶାନ୍ତଙ୍କ ବିବାହ ଭୋଜି ଉତ୍ସବରେ ନିଜ ସମ୍ପର୍କିୟଙ୍କ ସହିତ ଗଞ୍ଜାମ ଜିଲାରୁ ବହୁ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିବାହ ଉତ୍ସବ ଭୋଜିସ୍ଥଳରେ ବରକନ୍ୟା ସୁଶାନ୍ତ ମାଳି ଓ ରେଣୁବାଳା ଉପସ୍ଥିତ ଥିଲେ । ସେଠାରେ ସ୍ବତନ୍ତ୍ର ଭାବେ ହାତ ଧୋଇବା ପାଇଁ ସାବୁନ କିମ୍ବା ସାନିଟାଇଜର ନଥିଲା । ବରକନ୍ୟାଙ୍କ ସମେତ କେହି ମାସ୍କ ପିନ୍ଧିନଥିଲେ କିମ୍ବା ସାମାଜିକ ଦୂରତା ନିୟମ ମାନି ନଥିଲେ ବୋଲି ଅଭିଯୋଗ ହୋଇଛି ।