ଓଡିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ୨୦୨୦ ରବିବାର) ହିଞ୍ଜିଳିକାଟୁ :- ଗ୍ରାମାଞ୍ଚଳରେ ସଂକ୍ରମଣକୁ ରୋକିବା ଉପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱାରୋପ କରିଛନ୍ତି । ଏ କ୍ଷେତ୍ରରେ ଜିଲ୍ଲାପାଳ ସରପଞ୍ଚ ଓ ଅନ୍ୟ ଜନପ୍ରତିନିଧିଙ୍କ ସହଯୋଗ ଲୋଡିଛନ୍ତି । ପ୍ରତି ପଞ୍ଚାୟତରେ କୋଭିଡ ମନିଟରିଂ ପାଇଁ ପ୍ରତି ପଞ୍ଚାୟତରେ ୱାର୍ଡ କମିଟି ସହ ଏକ ହ୍ଵାଟ୍ସଆପ ଗ୍ରୁପ ଗଠନ କରିବାକୁ ସରପଞ୍ଚ ମାନଙ୍କୁ କୁହାଯାଇଛି । ପ୍ରତି ପଞ୍ଚାୟତରେ କୋଭିଡ ପରିଚାଳନା ସଭା କରାଯାଇ ଗ୍ରାମବାସୀଙ୍କୁ ସଚେତନ ଓ ସଂକ୍ରମଣ ପ୍ରତିକାରର ବିଧିବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।
ତଦନୁଯାୟୀ ଶନିବାର ସ୍ଥାନୀୟ ହିଞ୍ଜିଳି ବ୍ଳକ ଖରିଡା ପଞ୍ଚାୟତରେ ନୋଡାଲ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଏବଂ ତହସିଲଦାର ଗୋପୀନାଥ କୁଅଁର ପ୍ରମୁଖ ଯୋଗ ଦେଇ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପୃକ୍ତ ପଞ୍ଚାୟତର ୧୪ ଟି ୱାର୍ଡରେ ପ୍ରତି ୱାର୍ଡ ଅନୁଯାୟୀ ଅଙ୍ଗନବାଡି, ଆଶା, ୱାର୍ଡ ସଭ୍ୟ, ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକା ଆଦି ୫ଜଣଙ୍କୁ ନେଇ ୭୦ଜଣ ସଦସ୍ୟ ଓ ୧୪ ଜଣ କୋଭିଡ ମନିଟରଙ୍କୁ ନେଇ ଗଠିତ କୋଭିଡ କେୟାର ପରିଚାଳନା କମିଟି ପ୍ରତି ସମୀକ୍ଷା କରିଥିଲେ ।
ପରେ ଅଧିକାରୀମାନେ ଏହାର ସାଧନ,ସଂକ୍ରମଣ ରୋକିବାର ବ୍ୟବସ୍ଥା, ପ୍ରତିକାର ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ବିସ୍ତୃତ ଭାବେ ପ୍ରକାଶ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ସରପଞ୍ଚ ରଘୁନାଥ ବେହେରା, ମନୋଜ ପ୍ରଧାନ,ଜିଆରଏସ ଶ୍ରୀକାନ୍ତ ପଣ୍ଡା ଓ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ସେହିପରି ସ୍ଥାନୀୟ ବ୍ଲକର ଦୁର୍ବନ୍ଧ, ଶିକିରି, ପୁଟିଆ ପଦର, ମକରଝୋଳ, ଦୟାପଲ୍ଲୀ, ଦାରୁଭଦ୍ରା, ଶାସନ ଆମ୍ବଗାଁ ଓ ଗଣ୍ଡଳା ଆଦି ପଞ୍ଚାୟତରେ କୋଭିଡ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଇଓ ବିଜୟ କୁମାର ସେଠୀ, ଅଶ୍ୱିନୀ କୁମାର ସାହୁ,ଏସ ରାଜେଶ ରାଓ, ଶିବରାମ ରଣା, ରାଜେନ୍ଦ୍ର କୁମାର ପଟ୍ଟନାୟକ,ପ୍ରତାପ ସାହୁଏବଂ ବୈଷ୍ଣବ ମଣ୍ଡଳ ପ୍ରମୁଖ ନୋଡାଲ ଅଧିକାରୀ ତାଲିମ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । (ହିଞ୍ଜିଳିକାଟୁ / ରିପୋର୍ଟ – ଲଳିତ ମୋହନ ପଲାଇ)