No Result
View All Result
୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ରାଇରଙ୍ଗପୁର ସ୍ଥିତ ଅନନ୍ୟ ସାଂସ୍କୃତିକ ପୀଠ କୁଡୁମୀ ଭବନଠାରେ ମୟୂରଭଞ୍ଜ ଲୋକସଂସ୍କୃତିର ବିଶିଷ୍ଟ ଗବେଷକ ସ୍ବର୍ଗତ ଡକ୍ଟର ଆଦିକନ୍ଦ ମହାନ୍ତଙ୍କ ଆତ୍ମଜୀବନୀ ‘ଶିକ୍ଷକ’ ଶୁଭ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ତମ୍ଭକାର ଲଳିତ କୁମାର ମହାନ୍ତଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ମହାବିଦ୍ୟାଳୟ ଇଂରେଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସୁନୀଲ କୁମାର ଜେନା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଥିଲେ ରାଇରଙ୍ଗପୁର ମହାବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଡକ୍ଟର ମିଲନ ମହାନ୍ତ।
ଗ୍ରନ୍ଥ ଲୋକାର୍ପଣ ଅବସରରେ ମୁଖ୍ଯବକ୍ତା ଲେଖକ ସ୍ବର୍ଗତ ମହାନ୍ତଙ୍କ ପରି ସଂସ୍କୃତିପ୍ରାଣ ଗବେଷକ ହେଉଛନ୍ତି ଭବିଷ୍ୟତ ଯୁବପିଢିଙ୍କ ପ୍ରକୃଷ୍ଟ ପ୍ରେରଣାର ଉତ୍ସ ବୋଲି ମତ ପ୍ରକାଶ କରିଥିଲେ। ଏହି ସମାରୋହରେ ସମ୍ମାନିତ ଅତିଥିରୂପେ ସଂଜୀବନୀ ସାହିତ୍ୟ ସଂସଦ, ଭଣ୍ଡା, କେନ୍ଦୁଝରର ସଂପାଦକ ଡମ୍ବରୁ ମହାନ୍ତ, କରଂଜିଆର ବିଶିଷ୍ଟ ଅଭିନେତା ତଥା ଚିତ୍ରଶିଳ୍ପୀ ଦୁଶାସନ ମହାନ୍ତ, ଗୌରମୋହନ ସାଥୁଆ କଲେଜ, କୋଷ୍ଠାର ଅବସରପ୍ରାପ୍ତ ଇଂରେଜୀ ପ୍ରାଧ୍ୟାପକ ଦୋଳଗୋବିନ୍ଦ ମହାନ୍ତ, ଚିତ୍ରଡାର ଇଂ. ପ୍ରଦୀପ ମହାନ୍ତ ଓ ଅବସର ପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ ମହାନ୍ତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।
ସ୍ବର୍ଗତ ମହାନ୍ତଙ୍କ ସୁପୁତ୍ର ଇଂ. ମଘାନୂର ମହାନ୍ତ ପ୍ରକାଶକୀୟ ଅଭିବ୍ଯକ୍ତି ପ୍ରଦାନ କରି ପ୍ରତିଭା ଓ ସାରସ୍ବତ ସାଧନା ବିଷୟରେ ସୂଚନା ପ୍ରଦାନ ପ୍ରଦାନ କରିଥିଲେ । ସମାରୋହରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ ଲୋକସଂ।ସ୍କୃତିକ ସଂଗଠକ ମନୋଜ କୁମାର ମହାନ୍ତ, ବିଜ୍ଞାନ ଶିକ୍ଷକ ବିଘ୍ନେଶ୍ବର ମହାନ୍ତ, ସମାଜସେବୀ ସତ୍ଯନାରାୟଣ ମହାନ୍ତ, ଅଧ୍ୟାପକ ଜିତେନ୍ଦ୍ର ନାଥ ମହାନ୍ତ, ଆଇନଜୀବୀ ବିଜୟ କୁମାର ମହାନ୍ତ, ପ୍ରମୁଖ ସ୍ବର୍ଗତ ମହାନ୍ତଙ୍କ ସ୍ମୃତି ଚାରଣ କରିଥିଲେ ।
ମୁଖ୍ୟ ଅତିଥି ପ୍ରାଧ୍ୟାପକ ଶ୍ରୀଯୁକ୍ତ ଜେନା ଆଦିକନ୍ଦ ବାବୁଙ୍କ ସାରସ୍ବତ ଗବେଷଣା ପ୍ରସଙ୍ଗରେ ଆଲୋକପାତ କରିବା ସହିତ ତାଙ୍କର ପ୍ରକାଶିତ ଗ୍ରନ୍ଥଗୁଡିକର ପୁନଃପ୍ରକାଶନ ଓ ଅପ୍ରକାଶିତ ପାଣ୍ଡୁଲିପି ସମୂହକୁ ଲୋକଲୋଚନକୁ ଆଣିବା ନିମନ୍ତେ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରଦାନ କରିଥିଲେ। ପରିଶେଷରେ ସ୍ବର୍ଗତ ମହାନ୍ତଙ୍କ ପ୍ରାକ୍ତନ ଛାତ୍ର ତଥା ଶିକ୍ଷକ ଅଶ୍ବିନୀ କୁମାର ସେନାପତିଙ୍କୁୁ ଧନ୍ୟବାଦ ଅର୍ପଣ ପରେ ସଭାଶେଷ କରାଯାଇଥିଲା ।
ଏହି ସମାରୋହରେ ବାମନଘାଟୀର ମାନ୍ଯଗଣ୍ଯ ବ୍ୟକ୍ତି ବିଶେଷ ସ୍ବାମୀ ହରିପଦାନନ୍ଦଜୀ ମହାରାଜ, ଭବାନୀଶଙ୍କର ମହାନ୍ତ, ପରେଶ ଚନ୍ଦ୍ର ମହାନ୍ତ, ଲଳିତା ବିନ୍ଧାଣି, ରଜନୀଗନ୍ଧା ମହାନ୍ତ, ଜୟନ୍ତ ବେହେରା, ରବୀନ୍ଦ୍ରନାଥ ମହାନ୍ତ, ଦଶରଥ ମହାନ୍ତ, ସାମ୍ବାଦିକ ତୁଷାର କାନ୍ତ ମହାନ୍ତ, ଝୁମର କଣ୍ଠଶିଳ୍ପୀ କିରଣ ମହାନ୍ତ, ମୁକୁନ୍ଦ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସ୍ବର୍ଗତ ମହାନ୍ତଙ୍କ ଆତ୍ମାର ଶାନ୍ତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସମାରୋହରେ ସ୍ବର୍ଗତ ମହାନ୍ତଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା।
No Result
View All Result